ମେ’ ୩୧ ଯାଏଁ ବଢିଲା ଲକ୍ ଡାଉନ୍ ଅବଧି

ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ପାଇଁ ପୁଣି ବଢିଲା ଲକ୍ ଡାଉନ୍ ଅବଧି ।ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକ୍ ଡାଉନ୍ ମେ ୩୧ ଯାଏଁ ବୃଦ୍ଧି କରାଯାଇଛି  ।

ଦେଶରେ ଜାରି ରହିଥିବା ମହାମାରୀ କରୋନା ନିୟନ୍ତ୍ରଣ କରିବା ପାଇଁ ଲକ୍ ଡାଉନ୍ ପୁଣି ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି କରାଯାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ମେ ୧୭ ରେ  ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ ସରିଥିବା ବେଳେ ଯାଏଁ ଏହାକୁ ମେ ୩୧ ଯାଏଁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଭାରତରେ ୯୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୦୦ ରୁ ଅଧିକ ଜଣଙ୍କ ମୁଣ୍ଡ ନେଲାଣି କରୋନା ଭାଇରସ । ତେବେ ଏହି ୪.୦ ଲକ୍ ଡାଉନ୍ ରେ  ରେଡ୍, ଅରେଂଜ ଓ ଗ୍ରୀନ ଜୋନରେ ଦେଶର ସମସ୍ତ ଜିଲ୍ଲାକୁ ତାଲିକାଭୁକ୍ତ କରାଯାଇଛି । ଗ୍ରୀନ , ଅରେଂଜ ଜୋନ୍ ରେ କିଛି କଟକଣା କୋହଳ ହେବ ।  ଏହି ଦେଶବ୍ୟାପୀ ଲକ୍ ଡାଉନ୍ ସମୟରେ ବିମାନ , ମେଟ୍ରୋ ସେବା ସମ୍ପୂର୍ଣ୍ଣ ଭାବରେ ବନ୍ଦ୍ ରହିବ ।

ଚତୁର୍ଥ ପର୍ଯ୍ୟାୟ  ଲକ ଡାଉନର ସଂଶୋଧିତ ଗାଇଡଲାଇନ ଉପରେ ରେଡ୍, ଗ୍ରୀନ ଓ ଅରେଞ୍ଜ ଜୋନ୍ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ। ସେହିପରି କେଉଁ ସ୍ଥାନକୁ କଣ୍ଟେନମେଣ୍ଟ ଓ ବଫର୍ ଜୋନ୍ ଘୋଷଣା କରାଯିବ,ସେନେଇ ନିଷ୍ପତ୍ତି ନେବା ପାଇଁ ଜିଲ୍ଲା ପ୍ରଶାସନକୁ ଅଧିକାର ଦିଆଯାଇଛି। ତେବେ ପୂର୍ବ ଭଳି ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ରାଜ୍ୟ ଭିତରେ ଯାତ୍ରୀବାହୀ ଗାଡ଼ି ଓ ବସ୍ ଚଳାଚଳ ହୋଇପାରିବ। ଏଥିସହ ସହମତି ଭିତ୍ତିରେ ରାଜ୍ୟ-ରାଜ୍ୟ ମଧ୍ୟରେ ବି ଯାତ୍ରୀବାହୀ ଗାଡ଼ି ଓ ବସ୍ ଚଳାଚଳ ହେବ ବୋଲି ଜଣାପଡ଼ିଛି।

୩ଟି ଜୋନ୍‌ରେ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ। ସିନେମା ହଲ, ଜିମ୍ନାସିୟମ, ସ୍ପୋର୍ଟସ କମ୍ପଲେକ୍ସ ଖୋଲିବନି। ସୁଇମିଂ ପୁଲ, ପାର୍କ, ଥିଏଟର, ବାର୍ ଓ ଅଡିଟୋରିୟମ, ଉତ୍ସବ ଆଦି ମଧ୍ୟ ବନ୍ଦ ରହିବ। ରେଷ୍ଟୁରାଣ୍ଟ କୁ କେବଳ ହୋମ୍ ଡେଲିଭରୀ ପାଇଁ ଅନୁମତି ମିଳିବ ।

Leave a Reply

Your email address will not be published. Required fields are marked *