
ନୂଆଦିଳ୍ଳୀ : ସୁପ୍ରିମକୋର୍ଟ କରୋନା ମହାମାରୀ ଭିତରେ କେନ୍ଦ୍ର ଓ ଏୟାର ଇଣ୍ଡିଆକୁ ଦେଇଛନ୍ତି ବଡ ଝଟକା। ବିମାନ ଯାତ୍ରା ସମୟରେ ସାମାଜିକ ଦୂରତ୍ବକୁ ପାଳନ କରିବାକୁ ନେଇ ଦାଖଲ କରାଯାଇଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ । କୋର୍ଟ କହିଛନ୍ତି, ବିଦେଶରୁ ଆସୁଥିବା ବିମାନରେ ଯାତ୍ରା ବେଳେ ମଝି ସିଟକୁ ଖାଲି ରଖିବାକୁ ପଡିବ। ତେବେ କୋର୍ଟ ଏୟାର ଇଣ୍ଡିଆକୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଏୟାରକ୍ରାଫ୍ଟର ୩ଟି ସିଟରେ ଯାତ୍ରୀଙ୍କୁ ବସାଇବାର ମଞ୍ଜୁରୀ ପ୍ରଦାନ କରିଛନ୍ତି।
ଏହି ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିବା ସହ କହିଛନ୍ତି, ଆପଣଙ୍କୁ କେବଳ ନିଜର ଏୟାର ଇଣ୍ଡିଆର ଚିନ୍ତା। ଯାତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ରହିବା ଦରକାର। ଯଦି ସବୁ ସିଟରେ ଯାତ୍ରୀ ବସିବେ ତେବେ କରୋନା ସଂକ୍ରମଣ ବଢିବାର ବିପଦ ରହିଛି। ମୁଖ୍ୟ ବିଚାରପତି ଏହି ସମୟରେ କହିଥିଲେ, କ’ଣ ଭାଇରସ ଦେଖିବ ଏହା ବିମାନ ତେଣୁ ଯାତ୍ରୀଙ୍କୁ ସଂକ୍ରମଣ କରିବାନି।
ଆଜି ଇଦର ଛୁଟି ଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହି ମାମଲାର ତୁରନ୍ତ ଶୁଣାଣି କରିଥିଲେ। କେନ୍ଦ୍ର ଓ ଏୟାର ଇଣ୍ଡିଆର ଆବେଦନ ବମ୍ବେ ହାଇକୋର୍ଟଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରି ଦାଖଲ କାଯାଇଥିଲା। ଯେଉଁଥିରେ ହାଇକୋର୍ଟ ବିଦେଶରୁ ଆସୁଥିବା ବିମାନର ମଝି ସିଟକୁ ଖାଲି ରଖିବାକୁ ନିର୍ଦେଶ ଦେଇଥିଲେ।
ଉଲ୍ଲେଖନୀୟ ଯେ, କେନ୍ଦ୍ର ଓ ଏୟାର ଇଣ୍ଡିଆ ବମ୍ବେ ହାଇକୋର୍ଟର ନିର୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ। ହାଇକୋର୍ଟ ମିଡିଲ ସିଟ୍ ବୁକିଂ ନକରିବାକୁ ନିର୍ଦେଶ ଦେଇଥିଲେ। ଏହାକୁ ବିରୋଧ କରି କେନ୍ଦ୍ର ଓ ଏୟାର ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ତେବେ ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଆମେ ସାଧାରଣତଃ ହାଇକୋର୍ଟଙ୍କ ଦ୍ବାରା ପାସ୍ ହୋଇଥିବା ଅନ୍ତରୀଣ ନିର୍ଦେଶରେ ହସ୍ତକ୍ଷେପ କରିବାକୁ ଇଚ୍ଛୁକ ନୁହେଁ। ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷାକୁ ନିହାତି ଦୃଷ୍ଟି ଦେବା ଉଚିତ୍।