ବୟକଟ୍‌ ଚାଇନା ଅଭିଯାନ ଏକାଠି ହେଲେ ଜିନ୍ଦଲ, ବେଦାନ୍ତ, ପେଟିଏମ୍‌ ଏବଂ ବାୟୋକନ୍

ନୂଆଦିଲ୍ଲୀ :ବୟକଟ୍‌ ଚାଇନା ଅଭିଯାନ ଖାଲି ଜନସାଧାରଣଙ୍କ ମଧ୍ୟରେ ସୀମିତ ରହିନାହିଁ ଏଥିରେ ସାମିଲ ହୋଇଛନ୍ତି ଦେଶର ଶିଳ୍ପ ସମୁଦାୟ । ସଜ୍ଜନ ଜିନ୍ଦଲ, ବେଦାନ୍ତ ବସ୍‌ ଅନିଲ ଅଗ୍ରୱାଲ, ପେଟିଏମ୍‌ର ବିଜୟ ଶେଖର ଶର୍ମା ଏବଂ ବାୟୋକନ୍‌ର କିରନ ମଜୁମ୍‌ଦାର ଶ’ ପ୍ରମୁଖ ଏହାକୁ ସମର୍ଥନ କରିଛନ୍ତି । ୫୯ଟି ଚାଇନିଜ୍‌ ଆପ୍‌ ବ୍ୟାନ୍‌ ଭାରତ ପାଇଁ ସୁଯୋଗ ବୋଲି ସମସ୍ତେ ଏକ ସ୍ୱରରେ କହିଛନ୍ତି । ସୂଚନାଯୋଗ୍ୟ, ଲଦାଖର ଗଲୱାନ ଘାଟିରେ ଚୀନ୍‌ ସେନା ସହ ରକ୍ତାକ୍ତ ସଂଘର୍ଷ ଯୋଗୁ ୨୦ ଭାରତୀୟ ଯବାନ ସହିଦ ହୋଇଯିବା ପରେ ଭାରତ ସରକାର ଚୀନ୍‌ ବିରୋଧରେ କଠୋର ଆଭିମୁଖ୍ୟ ପ୍ରକାଶ କରିଛନ୍ତି ।

ଟିକ୍‌ଟକ୍‌, ୟୁସି ବ୍ରାଉଜର, ସେୟାର୍‌ଇଟ୍‌, ୱିଚାଟ୍‌, କ୍ୟାମ୍‌ସ୍କାନର ଏବଂ ମି କମ୍ୟୁନିଟି ସହ ୫୯ଟି ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରିଛି ଭାରତ । ଭାରତୀୟ ଶିଳ୍ପ ଜଗତ ଚୀନ୍‌କୁ ନେଇ କହିଛନ୍ତି, ବହୁତ ହୋଇଗଲା ଡ୍ରାଗନ୍‌ର ଉତ୍ପାତ । ଏବେ ଭାରତ ନିଜ ବଳରେ ବଢ଼ିବ ଏବଂ ଚୀନ୍‌କୁ ଏହାର ପ୍ରକୃତ ସ୍ଥାନ ଦେଖାଇବ । ୧୪୦୦ କୋଟି ଡଲାରର ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ମାଲିକ ସଜ୍ଜନ ଜିନ୍ଦଲ ଆଜି କହିଛନ୍ତି ଯେ, ତାଙ୍କ କମ୍ପାନି ଚୀନରୁ କୌଣସି ପ୍ରକାର କଞ୍ଚାମାଲ ଆମଦାନି କରିବ ନାହିଁ ।

ଏହା ସହିତ ସେ ଅନ୍ୟ ଶିଳ୍ପସଂସ୍ଥାଗୁଡିକୁ ବି ସମାନ ପରାମର୍ଶ ଦେଇଛନ୍ତି । ଚୀନ୍‌ ସେନା ଭାରତୀୟ ଯବାନଙ୍କୁ ମାରିବା ପରେ ଉକ୍ତ ରାଷ୍ଟ୍ର ସହ ବ୍ୟବସାୟ କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଜିନ୍ଦଲ କହିଛନ୍ତି । ଏବେ ଦେଶରେ ଏକ ପ୍ରକାର ସୁଯୋଗ ସୃଷ୍ଟି ହୋଇଛି । ସମସ୍ତେ ଏକଜୁଟ ହୋଇ ଏକ ମଜଭୂତ ଆତ୍ମନିର୍ଭର ଭାରତ ଗଠନ କରିବା ଦରକାର ବୋଲି ସେ କହିଛନ୍ତି ।  

Leave a Reply

Your email address will not be published. Required fields are marked *