ଏଚ୍‌ଡିଏଫ୍‌ସିରୁ ଅଂଶଧନ ବିକିଲା ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚାଇନା

ମୁମ୍ବାଇ : ସୁଯୋଗବାଦୀ ନିବେଶକୁ ନେଇ ଭାରତ ସରକାରଙ୍କ ଆକ୍ରୋଶର ଶୀକାର ହେବା ପରେ ପିପୁଲ୍ସ ବ୍ୟାଙ୍କ୍‌ ଅଫ୍‌ ଚାଇନା(ପିବିଓସି) ଏଚ୍‌ଡିଏଫ୍‌ସିରୁ ଏହାର ଅଂଶଧନକୁ ବିକ୍ରି କରି ଦେଇଛି। ଜୁନ୍‌ ତ୍ରୟମାସରେ ପିବିଓସି ଏହି ଅଂଶଧନକୁ ବିକ୍ରି କରିଥିବା ଜଣାପଡ଼ିଛି।

ଜୁନ୍‌ ତ୍ରୟମାସ ପାଇଁ ଏଚ୍‌ଡିଏଫ୍‌ସିର ଶେୟାରହୋଲ୍‌ଡିଂ ଡିସ୍‌କ୍ଲୋଜର ଅନୁସାରେ ପିବିଓସି ଆଉ ଏଚ୍‌ଡିଏଫ୍‌ସିର ଅଂଶୀଦାର ନୁହେଁ। ୨୦୨୦ ମାର୍ଚ୍ଚ ତ୍ରୟମାସ ଶେଷ ସୁଦ୍ଧା ମୁମ୍ବାଇଭିତ୍ତିକ ଆର୍ଥିକ ସେବା କମ୍ପାନି ଏଚ୍‌ଡିଏଫ୍‌ସିରେ ପିବିଓସି ୧.୭୫ କୋଟି ସେୟାର ଧରିଥିଲା। ଅର୍ଥାତ୍‌ ଏଚ୍‌ଡିଏଫ୍‌ସିରେ ଏହାର ମୋଟ ଅଂଶଧନ ୧.୦୧% ଥିଲା। ବର୍ତ୍ତମାନ ବଜାର ଦରରେ ଏହା ୩,୩୦୦ କୋଟି ଟଙ୍କା ହେବ।

ବର୍ତ୍ତମାନ ପିବିଓସି ଏହାକୁ କାଢି ନେଇଥିବା ଜଣାଯାଇଛି। ତେବେ ଏହା ସମ୍ପୂର୍ଣ୍ଣ ଅଂଶଧନ କାଢ଼ିଛି କିମ୍ବା ଏହାର କିଛି ଅଂଶ ହ୍ରାସ କରିଛି ତାହା ସ୍ପଷ୍ଟ ହୋଇନାହିଁ। ଷ୍ଟକ୍‌ ଏକ୍ସଚେଞ୍ଜ ସେୟାର୍‌ ହୋଲ୍‌ଡିଂ ଡିସ୍‌କ୍ଲୋଜର୍‌ରେ ଉକ୍ତ ଅଂଶୀଦାରମାନଙ୍କୁ ନାଁ ଥାଏ, ଯେଉଁମାନଙ୍କ ଅଂଶଧନ ୧%ରୁ ଅଧିକ।

ସୂଚନାଯୋଗ୍ୟ, ମାର୍ଚ୍ଚ ତ୍ରୟମାସରେ ଏଚ୍‌ଡିଏଫ୍‌ସିର ସେୟାର ମୂଲ୍ୟରେ ୪୦%ରୁ ଊଦ୍ଧ୍ୱର୍ ହ୍ରାସ ଘଟିଥିଲା। ଏହି ସମୟର ଫାଇଦା ଉଠାଇ ପିବିଓସି ଏଥିରେ ଅଂଶଧନ ବଢ଼ାଇଥିଲା। ଉକ୍ତ ସମୟରେ ଭାରତ ସରକାର ଏଭଳି ନିବେଶ ଉପରେ ରୋକ୍‌ ଲଗାଇଥିଲେ। ବିନା ସରକାରୀ ଅନୁମତିରେ ଚୀନ୍‌, ପାକିସ୍ତାନ ଏବଂ ବାଂଲାଦେଶର କମ୍ପାନିଗୁଡିକ ଭାରତରେ ନୂଆ ନିବେଶ କିମ୍ବା ଅତିରିକ୍ତ ନିବେଶ କରିପାରିବେ ନାହିଁ ବୋଲି ସରକାର ନୀତି ଆଣିଥିଲେ । ତେବେ ବର୍ତ୍ତମାନ ଏଚ୍‌ଡିଏଫ୍‌ସି ସେୟାର ମୂଲ୍ୟ ୩୦% ବୃଦ୍ଧି ଘଟିଛି।

Leave a Reply

Your email address will not be published. Required fields are marked *