
ଭୁବନେଶ୍ୱର : ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ବିଜେପି ପଦାଧିକାରୀଙ୍କ ପ୍ରଥମ ଭର୍ଚୁଆଲ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ୬ ମାସ ପାଇଁ ରାଜନୈତିକ ଖସଡ଼ା ପ୍ରସ୍ତୁତ କରାଯାଇଛି । ଦଳ ସଂଗଠନ, ସେବା, ସଂଘର୍ଷ ଓ ସମ୍ବାଦକୁ ଆଧାର କରି ଆଗକୁ ବଢ଼ିବା ପାଇଁ ରଣନୀତି ପ୍ରସ୍ତୁତିର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ରାଜନୀତିରେ ସେବାକୁ ହିଁ ମହତ୍ୱ ଦିଆଯାଇଛି । ଦଳ ନିର୍ବାଚନ ଜିତିବା ପାଇଁ ନୁହେଁ, ଦଳର ସଂଗଠନ କେବଳ କ୍ଷମତା ଦଖଲ କରିବା ପାଇଁ ନୁହେଁ ବରଂ ସମାଜକୁ ଭଲ ପାଇ ସେବା କରିବା, ସେବା ହିଁ ସଗଠନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶରେ ବିଗତ ସାଢ଼େ ୩ ମାସ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢ଼ କ୍ରିୟାନ୍ୱୟନ କାରଣରୁ ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିପାରିଛନ୍ତି । କରୋନା ମହାମାରୀ ସମୟରେ ଦଳ ପକ୍ଷରୁ ଗରିବଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବା ସହ ମାସ୍କ ବଣ୍ଟାଯିବା ଓ ରକ୍ତଦାନ ଶିବିର ଆୟୋଜନ କରିବା ଭଳି ଅନେକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିଛି । ଏହାସହ ବିଭିନ୍ନ ଭର୍ଚୁଆଲ ଜନସମ୍ବାଦ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଯାଇ ପାରିଛି ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ପୂର୍ବ ଭାରତର ବିକାଶକୁ ପ୍ରାଥମିକତା ଦେଇଥିବାବେଳେ ଓଡ଼ିଶାକୁ ବିକାଶର ପ୍ରୟୋଗଶାଳା କରାଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ୧୧୫ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ଓଡ଼ିଶାର ୧୦ଟି ଜିଲ୍ଲାକୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ଏହିସବୁ ଜିଲ୍ଲାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀଙ୍କ ଯୋଜନାର ଅଧିକ ଲାଭ ଓଡ଼ିଶା ପାଇଛି । କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅଧିକ ଲାଭ ଓଡ଼ିଶା ପାଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଗାମୀ ୫ ମାସ ଯାଏଁ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ମଧ୍ୟ ଆହୁରି ତିନି ମାସ ବୃଦ୍ଧି କରାଯାଇଛି । ନିକଟରେ ଆତ୍ମନିର୍ଭର ପ୍ୟାକେଜରେ କୃଷି କ୍ଷେତ୍ର କିମ୍ବା ଏମ୍ଏସ୍ଏମ୍ଇ ହେଉ ଏହି ଯୋଜନାର ଅଧିକ ଲାଭ ଓଡ଼ିଶା ପାଇଛି । ଏହି କଥାକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ଦଳକୁ ନେବାର ଆବଶ୍ୟକତା ରହିଛି । ଏହାବ୍ୟତିତ ଓଡ଼ିଆଙ୍କ ହକ୍ ପାଇଁ ଲଢ଼ିବାକୁ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ।
କରୋନା ମହାମାରୀ ସତ୍ତେ୍ୱ ଚଳିତବର୍ଷ ରଥଯାତ୍ରାର ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ସୁପ୍ରିମକୋର୍ଟଙ୍କ ସମେତ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ପୁରୀର ଜନସାଧାରଣ, ଛତିଶା ନିଯୋଗ, ସେବାୟତ ତଥା ମନ୍ଦିର ପ୍ରଶାସନକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଦଳର ସମସ୍ତ ନେତୃବୃନ୍ଦ ଏବଂ ପଦାଧିକାରୀ ଧନ୍ୟବାଦ ଦେଇଥିଲେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଦଳର କାର୍ଯ୍ୟକର୍ତ୍ତାମାନେ ଟିମୱାର୍କ କରି ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜବୁତ୍ କରି କେନ୍ଦ୍ରୀୟ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ରହିଛି । ସମସ୍ତଙ୍କର ବ୍ୟାପକ ଦକ୍ଷତାକୁ ପରିପ୍ରକାଶ କରି ସାଢ଼େ ୪ କୋଟି ଓଡ଼ିଆଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ କାମ କରିବାକୁ ପଡ଼ିବ ବୋଲି ଶ୍ରୀ ମହାନ୍ତି ଆହ୍ୱାନ ଦେବା ସହ ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ନେଇ କାମ କରିବାକୁ ଅନୁରୋଧ କରିଛନ୍ତି ।
ଏହି ଭର୍ଚୁଆଲ ବୈଠକରେ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ମତ ରଖିଥିଲା ବେଳେ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ବିସ୍ତୃତ ଆଲୋଚନା କରିଥିଲେ । ବୈଠକରେ ଗଲୱାନ ଘାଟିରେ ସହିଦ ହୋଇଥିବା ବୀର ଯବାନ, ଦିବଙ୍ଗତ ନେତା ଏବଂ ବ୍ୟକ୍ତିବିଶେଷମାନଙ୍କ ଉପରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଶୋକ ପ୍ରସ୍ତାବ ଆଗତ କରିଥିଲେ ଏବଂ ଏହି ପ୍ରସଙ୍ଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସଂପାଦକ ରବି ନାଏକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ବୈଠକରେ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ବିଏଲ ସନ୍ତୋଷ, ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପଦାଧିକାରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସଂଗଠନ ସହସମ୍ପାଦକ ସୌଦାନ ସିଂହ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ବରିଷ୍ଠ ନେତା କେ. ଭି. ସିଂହଦେଓ, ବିଧାୟକ ଦଳ ନେତା ପ୍ରଦୀପ ନାଏକ ପ୍ରମୁଖଙ୍କ ସମେତ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ।