ରାଜସ୍ଥାନରେ ରାଜନୈତିକ ସଙ୍କଟ: ୧୨ ବିଧାୟକଙ୍କ ସହ ଦିଲ୍ଲୀରେ ସଚିନ ପାଇଲଟ

ନୂଆଦିଲ୍ଲୀ : ରାଜସ୍ଥାନରେ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ରହିଥିବା ମତଭେଦ ଏବେ ଖୋଲାଖୋଲି ଭାବେ ସାମ୍‌ନାକୁ ଆସିଛି। ଯାହାକି ରାଜ୍ୟର କଂଗ୍ରେସ ସରକାର ପାଇଁ ସମସ୍ୟା ସୃଷ୍ଟି ହୋଇଛି। ପାଇଲଟ ନିଜର ୧୨ ଜଣ ସମର୍ଥକ ବିଧାୟକଙ୍କୁ ଧରି ଦିଲ୍ଲୀରେ ପହଞ୍ଚିଛନ୍ତି। ସେ କଂଗ୍ରେସର ଶୀର୍ଷ ନେତାମାନଙ୍କୁ ଭେଟିବେ । କିନ୍ତୁ ଗେହଲଟ ଅଭିଯୋଗ କରିଛନ୍ତି କି ପାଇଲଟ ବିଜେପି ନେତାଙ୍କ ସମ୍ପର୍କରେ ଅଛନ୍ତି ଏବଂ ବିଜେପିରେ ମିଶିବା ଲାଗି ଦିଲ୍ଲୀ ଯାଇଛନ୍ତି ।

୨୦୧୮ ବିଧାନସଭା ନିର୍ବାଚନ ପରେ ପାଇଲଟ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଥିଲା ବେଳେ ତାଙ୍କୁ ବାଦ୍‌ ଦେଇ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ପାଇଲଟଙ୍କୁ ମନାଇବାକୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଇଥିଲା । କିନ୍ତୁ ସେଥିରେ ସେ ଅସନ୍ତୋଷ ଥିଲେ । କୁହାଯାଉଛି କି ଲକ୍‌ଡାଉନ ପୂର୍ବରୁ ସେ ବିଜେପି ନେତମାନଙ୍କ ସମ୍ପର୍କରେ ରହିଥିଲେ। ୩ ମାସ ତଳେ ମଧ୍ୟପ୍ରଦେଶର କଂଗ୍ରେସ ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜର ୨୨ ସମର୍ଥକ ବିଧାୟକଙ୍କ ସହ ବିଜେପିରେ ଯୋଗଦେବା ପରେ ରାଜ୍ୟର କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରର ପତନ ଘଟିଥିଲା । ସେଠାରେ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେଲା । ମଧ୍ୟପ୍ରଦେଶ ପରେ ରାଜସ୍ଥାନରେ କିଛିଦିନ ହେଲା ରାଜନୈତିକ ହଟଚମଟ ଦେଖିବାକୁ ମିଳିଥିଲା । ଏପରିକି ରାଜ୍ୟରେ ବିଧାୟକମାନଙ୍କୁ କିଣା ବିକା କରାଯିବାର ଅଭିଯୋଗ ମଧ୍ୟ ଉଠିଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଗୃହ ବିଭାଗ ଅଧୀନରେ ଥିବା ଏସଓଜି (ସ୍ପେଶାଲ ଅପରେସନ ଗ୍ରୁପ) ପକ୍ଷରୁ ପାଇଲଟ ଓ ଅନ୍ୟ କିଛି ବିଧାୟକଙ୍କୁ ପଚରାଉଚୁରା ଲାଗି ନୋଟିସ ଜାରି କରାଯାଇଥିଲା । ଯାହାକୁ ନେଇ ପାଇଲଟ ଅସନ୍ତୋଷ ପ୍ରକାଶ କରିବା ସହ ବିଦ୍ରୋହ ଆରମ୍ଭ କରିଥିଲେ ।

ଅନ୍ୟପକ୍ଷରେ କଂଗ୍ରେସରେ ଜାରି ରହିଥିବା ଏହି ବିବାଦର ଫାଇଦା ଉଠାଇବାକୁ ଏବେ ବିଜେପି ପ୍ରୟାସ ଆରମ୍ଭ କରିଛି । ଦଳ ପକ୍ଷରୁ ସିନ୍ଧିଆ ମଇଦାନକୁ ଓହ୍ଲାଇଛନ୍ତି । ସେ ପାଇଲଟଙ୍କୁ ମନାଇବାରେ ଲାଗିଛନ୍ତି । କୁହାଯାଉଛି କି କଂଗ୍ରେସର ପ୍ରାୟ ୩୦ ବିଧାୟକ ଓ କିଛି ସ୍ୱାଧୀନ ବିଧାୟକ ପାଇଲଟଙ୍କୁ ସମର୍ଥନ କରୁଛନ୍ତି । ପାଇଲଟ ଯେଉଁ ନିଷ୍ପତ୍ତି ନେବେ ତାକୁ ସେମାନେ ସ୍ୱୀକାର କରିବେ ବୋଲି କହିଛନ୍ତି। ସେପଟେ କଂଗ୍ରେସର ରାଜ୍ୟ ପ୍ରଭାରୀ ଅବିନାଶ ପାଣ୍ଡେ କହିଛନ୍ତି ଦଳର ସମସ୍ତ ବିଧାୟକ ତାଙ୍କ ସହ ଆଲୋଚନା କରିଛନ୍ତି । ସରକାର ସ୍ଥିର ରହିଛି ଏବଂ ଏହା ପୂର୍ଣ୍ଣ ୫ ବର୍ଷ କ୍ଷମତାରେ ରହିବ। ପାଇଲଟଙ୍କ ସହିତ ଯୋଗାଯୋଗ ଲାଗି ଉଦ୍ୟମ କରାଯାଉଛି । ତାଙ୍କୁ ମେସେଜ ଦିଆଯାଇଛି । ରାଜସ୍ଥାନର ରାଜନୈତିକ ପରିସ୍ଥିତି ବିଷୟରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଅବଗତ କରାଯାଇଥିବା ପାଣ୍ଡେ କହିଛନ୍ତି ।

ସେପଟେ ସୋନିଆ ବିବାଦ ତୁଟାଇବାକୁ ଲାଗିପଡିଛନ୍ତି । ସେ ଦଳର ୩ ଜଣ ବରିଷ୍ଠ ନେତା ଅଜୟ ମାକେନ, ରଣଦୀପ ସୁର୍ଜେୱାଲା ଓ ଅବିନାଶ ପାଣ୍ଡେଙ୍କୁ ଆଜି ରାତିରେ ଜୟପୁର ପଠାଇଛନ୍ତି । ଏହି ନେତାମାନେ ଜୟପୁରରେ ପହଞ୍ଚି ଦଳର ବିଧାୟକମାନଙ୍କ ସହ ଆଲୋଚନା କରିବେ ।

ସେହିଭଳି ପାଇଲଟଙ୍କୁ ମଧ୍ୟ ଦିଲ୍ଲୀ ଛାଡି ତୁରନ୍ତ ଜୟପୁରରେ ପହଞ୍ଚିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । କଂଗ୍ରେସ ପକ୍ଷରୁ ପଠାଯାଇଥିବା ୩ ଜଣ ପର୍ଯ୍ୟବେକ୍ଷକଙ୍କ ସହ ପାଇଲଟ ଆଲୋଚନା କରିବେ ଏବଂ ଆଜି ବିଧାୟକ ଦଳ ବୈଠକରେ ଯୋଗଦେବେ । ରାଜନୈତିକ ସଙ୍କଟ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଗେହଲଟ ସୋମବାର ପୂର୍ବାହ୍ନ ୧୦ଟା ୩୦ରେ ବିଧାୟକ ଦଳ ବୈଠକ ଡାକିଛନ୍ତି । କିନ୍ତୁ ପାଇଲଟ ଏହି ବୈଠକରେ ଯୋଗଦେଇ ନପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ୨୦୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକ ଅଛନ୍ତି । ତା’ଛଡା ୧୨ ସ୍ୱାଧୀନ ସଦସ୍ୟ ଓ ଅନ୍ୟ ଛୋଟ ଦଳର ୫ ଜଣ ସଦସ୍ୟ ଗେହଲଟ ସରକାରଙ୍କୁ ସମର୍ଥନ କରୁଛନ୍ତି । ରାଜ୍ୟରେ ସରକାର ତିଷ୍ଠିବା ଲାଗି ୧୦୧ ସଦସ୍ୟଙ୍କ ସମର୍ଥନ ଦରକାର । ଯଦି ପାଇଲଟଙ୍କୁ ସମର୍ଥନ କରି ୩୦ ବିଧାୟକ ସରକାରରୁ ଓହରିଯାଆନ୍ତି ତେବେ ଗେହଲଟ ସରକାରର ପତନ ଘଟିବ ।

Leave a Reply

Your email address will not be published. Required fields are marked *