କଟକରୁ ହଟିଲା ସଟଡାଉନ୍; ଜଳେଶ୍ୱର ମୁନିସିପାଲଟି ଶୁକ୍ରବାର ଯାଏଁ ସଟଡାଉନ୍

କଟକ/ ଜଳେଶ୍ୱର: ଆଜିଠୁ କଟକ ସହରରୁ ସଟ୍‌ଡାଉନ୍ କଟକଣା ହଟିଛି‌। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟ୍‌ଡାଉନ୍‌ କଟକଣାକୁ ହଟାଇବାକୁ କଟକ ମହାନଗର ନିଗମ(CMC) ପକ୍ଷରୁ ଗତକାଲି ଘୋଷଣା କରାଯାଇଥିଲା।

ହେଲେ ସପ୍ତାହରେ ଶନିବାର ଓ ରବିବାର ଯେଉଁଭଳି ଭାବରେ ସଟ୍‌ଡାଉନ୍‌ କଟକଣା ଲାଗୁ ହୋଇଛି, ତାହା ପୂର୍ବଭଳି ବଳବତ୍ତର ରହିବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି।

  • ସକାଳ ୫ଟାରୁ ସନ୍ଧ୍ୟା ୬ ଯାଏ ଦେକାନ ବଜାର ଖୋଲା ରହିବ।
  • ସନ୍ଧ୍ୟା ୭ଟାରୁ ସକାଳ ୫ ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ।
  • ୫୦% କର୍ମଚାରୀଙ୍କୁ ନେଇ ଖୋଲା ରହିବ ସରକାରୀ ଅଫିସ୍।
  • କୋଭିଡ୍ କଟକଣା ସର୍ତ୍ତ ସହ ସହରରେ ସପିଂ ମଲ୍ ଖୋଲିବ

ସୂଚନାଥାଉ କି, କଟକ ସହରରେ କରୋନା ସଂକ୍ରମଣ ବଢୁଥିବା ଦେଖି ଗତ ୪ରେ CMC ପକ୍ଷରୁ କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ୬ ରାଉଣ୍ଡ ଆକ୍ଟିଭ ସର୍ଭେଲାନ୍ସ ଓ କଣ୍ଟାକ୍ଟସ୍‌ ଟ୍ରେସିଂ ପରେ ସ୍ଥାନୀୟ ସଂକ୍ରମଣ ହୋଇ ନ ଥିବା କହିଛି ସିଏମ୍‌ସି। ସେହିପରି ମାଳିସାହିରୁ ରାଣୀହାଟ ପର୍ଯ୍ୟନ୍ତ ଥିବା କଣ୍ଟେନମେଣ୍ଟକୁ ମଧ୍ୟ ଉଠାଇ ଦେଇଛି CMC। ସଟ୍‌ଡାଉନ୍‌ର ଆଉ ଆବଶ୍ୟକତା  ନଥିବାରୁ ଏହାକୁ ପ୍ରତ୍ୟାହାର କରାଯାଇଥିବା କୁହାଯାଇଛି। ଏହା ବଦଳରେ ଜାରି ରହିବ ଲକ୍‌ଡାଉନ୍‌ ନିୟମ।

ଏପଟେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜଳେଶ୍ୱର ମ୍ୟୁନିସିପାଲଟିକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା ୫ଟାରୁ ଶୁକ୍ରବାର ସକାଳ ୫ଟା ଯାଏ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଜରୁରୀ ସେବା ବ୍ୟତୀତ ଆଉ ସମସ୍ତ ଦୋକାନ, ବଜାର ବନ୍ଦ ରହିଛି। ଗତକାଲି ଜଳେଶ୍ୱରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *