ଉପମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ ପାଇଲଟ

Image Source: India Today

ଜୟପୁର- ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଦଳର ନେତା ସଚୀନ୍‌ ପାଇଲଟ୍‌ଙ୍କର ସହ ତିନିଜଣ ମନ୍ତ୍ରୀଙ୍କୁ ପଦରୁ ବିଦା କରାଯାଇଛି । କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସିଂ ହୁଡ୍ଡା ଏହି ସୂଚନା ଦେଇଛନ୍ତି ।

ରାଜସ୍ଥାନରେ ଅଶୋକ ଗେହଲଟ୍ ସରକାରଙ୍କ ଉପରୁ ବିପଦ ହଟୁଥିବାର ଦେଖିବାକୁ ମିଳିଥିଲା। ସୋମବାର ମଧ୍ୟାହ୍ନରେ ଅଶୋକ ଗେହଲଟ୍ ୧୦୦ ରୁ ଅଧିକ ବିଧାୟକଙ୍କ ପରେଡ୍ ମିଡିଆ ସାମନାରେ କରିଥିଲେ ଓ ଭିକ୍ଟ୍ରୀ ବା ବିଜୟର ସାଇନ୍ ଦେଖାଇଥିଲେ। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ, ଅଶୋକ ଗେହଲଟ୍ ବାର୍ତ୍ତା ଦେଇଛନ୍ତି ଯେ, ତାଙ୍କ ପାଖରେ ବହୁମତ ରହିଛି ଓ ସଚିନ ପାଇଲଟ କ’ଣ ପଦକ୍ଷେପ ନେବେ।। ସଚିନ ପାଇଲଟ ଲଗାତର ୨୫ ରୁ ଅଧିକ ବିଧାୟକ ଥିବା ନେଇ ଦାବି କରୁଛନ୍ତି। ଗତ କିଛି ଦିନ ଧରି ରାଜସ୍ଥାନ କଂଗ୍ରେସ ରାଜନୀତିରେ ହଟ ଚମଟ ଦେଖିବା ପାଇଁ ମିଳିଥିଲା । ସଚୀନ୍‌ ପାଇଲଟ୍‌ ଅଧିକ କ୍ଷମତା ଦାବି କରିବା ସହ ତାଙ୍କ ପାଖଲେ ୩୦ ଜଣ ବିଧାୟକଙ୍କ ସମର୍ଥନ ଥିବା କଥା କହିଥିଲେ । ଏହା ପରେ ରାଜସ୍ଥାନ ସରକାରଙ୍କ ଏକ ପ୍ରକାର ଦୋହଲି ଯାଇଥିଲେ ।

ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ଘରକୁ ଡକାଥିଲେ, ଯେଉଁଠି ବିଧାୟକଙ୍କ ସଂଖ୍ୟାର ଶକ୍ତି ପ୍ରଦର୍ଶନ କରାଯାଉଛି। ଗେହଲଟଙ୍କ ପକ୍ଷରୁ ଲଗାତାର ୧୦୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଦେଇଛନ୍ତି। ଏହି ସମୟରେ ଅଶୋକ ଗେହଲଟ୍ ଗଣମାଧ୍ୟମ ସାମନାରେ ଭିକ୍ଟ୍ରି ସାଇନ୍ ଦେଖାଇଥିଲେ।

ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟକୁ ନେଇ ସସ୍‌ପେନ୍ସ ଜାରି ରହିଥିଲା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଉପୁଜିଥିବା ବିବାଦ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ପାଇଲଟ କଂଗ୍ରେସର ୨୫ ବିଧାୟକଙ୍କୁ ଧରି ଦିଲ୍ଲୀ ଯିବା ପରେ ଗେହଲଟ ସରକାର ବିପଦରେ ଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଗେହଲଟ ସୋମବାର ନିଜ ବାସଭବନରେ ଶକ୍ତି ପ୍ରଦର୍ଶନ କରାଇ ଏହି ଚର୍ଚ୍ଚାରେ ବିରାମ ଲଗାଇଛନ୍ତି।

ସୋମବାର ଦିନ ଗେହଲଟଙ୍କ ବାସଭବନରେ ବିଧାୟକ ଦଳ ବୈଠକ ବସିଥିଲା । ବୈଠକକୁ ୨୦ ଜଣ ବିଧାୟକ ଆସି ନଥିଲେ। ତେବେ ବୈଠକ ପରେ ଗଣମାଧ୍ୟମ ସମ୍ମୁଖରେ ଗେହଲଟ ତାଙ୍କୁ ସମର୍ଥନ କରୁଥିବା ୧୦୯ ଜଣ ବିଧାୟକଙ୍କ ପରେଡ କରାଇଛନ୍ତି । ଏହା ସହ ତାଙ୍କ ନିକଟରେ ବହୁମତଠାରୁ ଯଥେଷ୍ଟ ଅଧିକ ବିଧାୟକଙ୍କ ସମର୍ଥନ ରହିଥିବାରୁ ସରକାର ସୁରକ୍ଷିତ ଥିବା ସେ ଦାବି କରିଛନ୍ତି। ବିଧାୟକ ଦଳ ବୈଠକରେ କେତେକ ପ୍ରସ୍ତାବ ପାରିତ ହୋଇଛି। ସେଥିରେ କୁହାଯାଇଛି କି ଗେହଲଟ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ଯଦି ଦଳର କୌଣସି ନେତା କିମ୍ବା ବିଧାୟକ ସରକାର ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼େ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବିଶ୍ୱାସ ବ୍ୟକ୍ତ କରି ଆମେ ସର୍ବସମ୍ମତିକ୍ରମେ ଗେହଲଟଙ୍କୁ ନେତା ମାନୁଛୁ । ବିଜେପିର ଷଡ଼ଯନ୍ତ୍ର କେବେ ସଫଳ ହେବନି । କଂଗ୍ରେସ ଏକଜୁଟ ଅଛି ବୋଲି ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି।

ବୈଠକ ପରେ ସମସ୍ତ ବିଧାୟକଙ୍କୁ ୩ଟି ବସ ଯୋଗେ ନେଇ ହୋଟେଲରେ ରଖାଯାଇଛି । ବିଧାୟକମାନେ ବିଜୟ ପ୍ରତୀକ ବା ଭିକ୍ଟୋରି ସାଇନ ଦେଖାଇ ବସ ଯୋଗେ ହୋଟେଲ ଯାଇଥିଲେ । ଏହି ରାଜନୈତିକ ସଙ୍କଟର ସମାଧାନ ପାଇଁ କଂଗ୍ରେସର ହେଭିୱେଟ ନେତାମାନେ ଅଣ୍ଟା ଭିଡ଼ିଛନ୍ତି । ପ୍ରିୟଙ୍କା ଗାନ୍ଧି, ରାହୁଲ ଗାନ୍ଧି, କେସି ବେଣୁଗୋପାଳ, ପି. ଚିଦାମ୍ବରମ ଏବଂ ଅହମ୍ମଦ ପଟେଲ ପ୍ରମୁଖ ପାଇଲଟଙ୍କୁ ଫୋନ ଯୋଗେ ମନାଇବାରେ ଲାଗି ପଡ଼ିଛନ୍ତି । କଂଗ୍ରେସର ଅନ୍ୟତମ ଯୁବ ଚେହେରା ମିଲିନ୍ଦ ଦେଓରା ମଧ୍ୟ ପାଇଲଟଙ୍କୁ ବୁଝାଉଛନ୍ତି । ପାଇଲଟ ନିଜ ନିଷ୍ପତ୍ତି ପରିବର୍ତ୍ତନ କରି ନିଜର ସମର୍ଥକ ବିଧାୟକଙ୍କ ସହ ଗେହଲଟ ସରକାରଙ୍କୁ ସମର୍ଥନ କରନ୍ତୁ ବୋଲି କଂଗ୍ରେସ ଚେଷ୍ଟା ଚଲାଇଛି । ପାଇଲଟ ଏଥିନିମନ୍ତେ କେତେକ ସର୍ତ୍ତ ରଖିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଗୃହ ଏବଂ ଅର୍ଥ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପାଇଲଟ ନିଜ ବିଧାୟକମାନଙ୍କ ନିମନ୍ତେ ଦାବି କରିଛନ୍ତି । ଏହା ସହ ପ୍ରଦେଶ ଅଧ୍ୟକ୍ଷ ପଦ ନିଜ ନିକଟରେ ରଖିବାକୁ ମଧ୍ୟ ସେ ଦାବି ରଖିଥିବା କୁହାଯାଉଛି । ଏସବୁ ଦାବି ସମ୍ପର୍କିତ ସନ୍ଦେଶ ସେ ନିଜର ଜଣେ ସମର୍ଥକଙ୍କ ଦ୍ୱାରା ପଠାଇବେ

ଅନ୍ୟପକ୍ଷରେ ପାଇଲଟ ନିଜ ପାଖରେ ୨୫ରୁ ୩୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି । ଏଥିସହ ଗେହଲଟଙ୍କ ପାଖରେ ମାତ୍ର ୮୪ ବିଧାୟକଙ୍କ ସମର୍ଥନ ଥିବା କହିଛନ୍ତି । ସେହିଭଳି ସେ କଂଗ୍ରେସର କୌଣସି ବରିଷ୍ଠ ନେତାଙ୍କୁ ଭେଟି ନଥିବା ପ୍ରକାଶ କରିଛନ୍ତି । ପୂର୍ବରୁ କୁହାଯାଇଥିଲା କି ପାଇଲଟ ଦିଲ୍ଲୀରେ ରାହୁଲ ଓ ଅନ୍ୟ ତୁଙ୍ଗ ନେତାମାନଙ୍କୁ ଭେଟି ତାଙ୍କ ସହିତ ଆଲୋଚନା କରିଛନ୍ତି । ସେହିଭଳି ପାଇଲଟ ବିଜେପିରେ ଯୋଗଦେବେ ନାହିଁ ବୋଲି ଜଣାପଡିଛି । ତାଙ୍କର ଜଣେ ଅତି ଘନିଷ୍ଠ ସହଯୋଗୀ ଏହି ସୂଚନା ଦେଇଛନ୍ତି । ଇତିମଧ୍ୟରେ ପ୍ରିୟଙ୍କା ଗାନ୍ଧି ବି ପାଇଲଟଙ୍କ ସହ ଟେଲିଫୋନ୍‌ରେ ଆଲୋଚନା କରି ବିବାଦ ତୁଟାଇବାକୁ ପ୍ରୟାସ କରିଥିଲେ । ସେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

ସେପଟେ ବିଧାୟକଙ୍କ ସଂଖ୍ୟାକୁ ନେଇ ବିଜେପି ଗେହଲଟ ସରକାରଙ୍କୁ ଘେରିଛି। ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି ଗେହଲଟଙ୍କ ପାଖରେ ଯଦି ସଂଖ୍ୟା ଅଛି ତେବେ ସେ ତୁରନ୍ତ ବିଧାନସଭାରେ ଆସ୍ଥା ଭୋଟ କରାଇ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦିଅନ୍ତୁ। ନାଟକବାଜିରୁ ରାଜସ୍ଥାନକୁ ମୁକ୍ତ କରନ୍ତୁ ଏବଂ ସରକାର ଓ ଶାସନ ଚଳାଇବା ପ୍ରତି ଧ୍ୟାନ ଦିଅନ୍ତୁ। ଯଦି ନିଜ ପାଖରେ ଆବଶ୍ୟକ ସଂଖ୍ୟା ଅଛି ତେବେ ବିଧାୟକମାନଙ୍କୁ ହୋଟେଲକୁ ନେଇ କାହିଁକି ରଖ।।ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ସଂଖ୍ୟା ଗଣିତ ଅନୁଯାୟୀ ଦେଖିଲେ ୨୦ ଜଣ ବିଧାୟକ ଦଳରୁ ଇସ୍ତଫା ଦେଲେ ମଧ୍ୟ ଗେହଲଟ ସରକାର ସୁରକ୍ଷିତ ରହିବ। ବର୍ତ୍ତମାନ ରାଜସ୍ଥାନର ବିଧାନସଭା ଆସନ ସଂଖ୍ୟା ୨୦୦ ରହିଛି। ସରକାର ପାଇଁ ୧୦୧ ବିଧାୟକଙ୍କ ସମର୍ଥନ ଦରକାର। କଂଗ୍ରେସ ଏବଂ ଅନ୍ୟାନ୍ୟ ନିର୍ଦ୍ଦଳୀୟ ଓ କେତେକ ଛୋଟ ଦଳର ବିଧାୟକଙ୍କ ସମର୍ଥନ ସହ ଗେହଲଟଙ୍କ ନିକଟରେ ୧୨୪ ବିଧାୟକଙ୍କ ସମର୍ଥନ ରହିଛି। ଯଦି ୨୦ ବିଧାୟକ ଇସ୍ତଫା ଦିଅନ୍ତି ତେବେ ଗେହଲଟ ସରକାର ନିକଟରେ ୧୦୪ ବିଧାୟକଙ୍କ ସମର୍ଥନ ରହିବ। ସେପଟେ ଆସନ ସଂଖ୍ୟା ମଧ୍ୟ ୧୮୦ରେ ପହଞ୍ଚିବ। ଏଣୁ ବହୁମତ ପ୍ରମାଣ କରିବାକୁ ୯୧ଟି ଆସନ ଆବଶ୍ୟକ ପଡ଼ିବ। ଏଣୁ କଂଗ୍ରେସ ସହଜରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରି ପାରିବ। ଏବେ ବିଜେପି ନିକଟରେ ୭୨ଟି ଆସନ ରହିଥିବା ବେଳେ ଏହାର ସହଯୋଗୀ ଦଳ ଆର୍‌ଏଲ୍‌ପି ପାଖରେ ୩ଟି ଆସନ ରହିଛି। ପାଇଲଟଙ୍କ ଦାବି ମୁତାବକ ଯଦି ୨୫ରୁ ୩୦ ବିଧାୟକ ଇସ୍ତଫା ଦିଅନ୍ତି ତେବେ ଗେହଲଟ ସରକାର ନିଶ୍ଚିତ ଭାବେ ବିପଦକୁ ଆସିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *