
ରୁଷ- ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧରେ କେବେ ବିରାମ ଲାଗିବ ଏବେ ସେ ନେଇ ସବୁଠି ପ୍ରଶ୍ନ। ଯୁଦ୍ଧ ବିରତି ପାଇଁ ରୁଷ୍କୁ ଅପିଲ କରିଛି ଆମେରିକା। ରୁଷ୍ର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କ ସହ କଥା ହୋଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍। ପ୍ରାୟ ୧ ଘଣ୍ଟା ଧରି ଦୁଇ ନେତା ଟେଲିଫୋନ୍ରେ ଆଲୋଚନା କରିଛନ୍ତି। ତୁରନ୍ତ ଅସ୍ତ୍ରବିରତି ପାଇଁ ଅଷ୍ଟିନ୍ ଅପିଲ କରିଛନ୍ତି। ଗତ ୮୪ ଦିନ ମଧ୍ୟରେ ଏହା ରୁଷ୍-ଆମେରିକା ପ୍ରତିରକ୍ଷାସ୍ତରୀୟ ପ୍ରଥମ କଥାବାର୍ତ୍ତା।
ପ୍ରକାଶ ଯେ ଫେବ୍ରୁଆରୀ ୨୪ରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ରୁଷ୍। ଏହାର ସପ୍ତାହେ ପୂର୍ବରୁ ଅର୍ଥାତ୍ ଫେବ୍ରୁଆରୀ ୧୮ରେ ଅଷ୍ଟିନ୍-ସୋଇଗୁ କଥା ହୋଇଥିଲେ। ଏହା ପରେ ଆମେରିକା ସହ ସାମରିକ ସ୍ତରରେ ରୁଷ୍ କଥା ହେଉନଥିଲା। ତେବେ ଆଜିର କଥାବାର୍ତ୍ତା ପରେ ରୁଷ୍ ଉପରେ ସମସ୍ତଙ୍କ ନଜର ରହିଛି।
ଅନ୍ୟପଟେ ଆମେରିକାର ୧୦ ହଜାର ୫୦୦ ସୈନ୍ୟ ୟୁରୋପ ଯିବେ। ଏ ନେଇ ପେଣ୍ଟାଗନ୍ ସ୍ପଷ୍ଟ କରିଛି। ୟୁକ୍ରେନ୍ ଯୁଦ୍ଧ ବେଳେ ୟୁରୋପରେ ସୈନ୍ୟ ବଦଳାଇବ ଆମେରିକା। ୟୁରୋପରେ ମୁତୟନ ଥିବା ସୈନ୍ୟଙ୍କୁ ଅପସାରଣ କରି ଆମେରିକା ତାଙ୍କ ସ୍ଥାନରେ ନୂଆ ସୈନ୍ୟ ମୁତୟନ କରିବ। କିନ୍ତୁ ୟୁରୋପରେ ଆମେରିକୀୟ ସୈନ୍ୟ ସଂଖ୍ୟାରେ ପରିବର୍ତ୍ତନ ହେବନି। ଫିନ୍ଲ୍ୟାଣ୍ଡ ନାଟୋରେ ମିଶିବା ପୂର୍ବରୁ ପେଣ୍ଟାଗନ୍ର ଏହି ଘୋଷଣାକୁ ବେଶ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି।