
ପୁରୁଷୋତ୍ତମପୁର (ବବି ରଥ): ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଗତ ୧୬ ତାରିଖଠାରୁ ଆରମ୍ଭ ହୋଇଯାଇଛି। ଏହି ମହୋତ୍ସବ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ମାଆଙ୍କ ପୀଠରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଭବ୍ୟ ମନ୍ଦିରର ପ୍ରତିଷ୍ଠା ଅବସରରେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ହାତ ଯୋଡ଼ି ମାଆଙ୍କୁ ପ୍ରଣାମ କରିଥିଲେ ଏବଂ ସେଠାରେ ମୁଖ୍ୟ ପୁରୋଧା ଭାବେ ଯୋଗଦାନ କରିଥିଲେ।
ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳ ୯.୧୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରି ହେଲିକପ୍ଟର ଯୋଗେ ଗଞ୍ଜାମର ପୁରୁଷୋତ୍ତମପୁରରେ ଥିବା ତାରାତାରିଣୀ ପୀଠରେ ପହଞ୍ଚିଥିଲେ। ମାଆ ତାରାତାରିଣୀ ପର୍ବତ ନିକଟରେ ଏକ ଅସ୍ଥାୟୀ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଅବତରଣ କରିଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ସେହି ହେଲିପ୍ୟାଡ୍ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଯାତ୍ରା କରିଥିଲେ।

ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ ସହ ମୁଖ୍ୟମନ୍ତ୍ରୀ ତାରାତାରିଣୀ ପୀଠରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଉଦବୋଧନ ଦେଇ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ତାରା ତାରିଣୀ ମନ୍ଦିର ର ରୂପାନ୍ତର କୁ 5T ରୂପାନ୍ତରଣ କାର୍ଯ୍ୟକ୍ରମ ର ପ୍ରକୁଷ୍ଟ ଉଦାହରଣ ଭାବରେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମ ରେ ମନ୍ତ୍ରୀ ମଣ୍ଡଳ ର ସଦସ୍ୟ ବୃନ୍ଦ ସାଂସଦ ବିଧାୟକ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଗଞ୍ଜାମ ଜିଲ୍ଲାପାଳ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।
ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ଯଜ୍ଞ ମଣ୍ତପ, ପ୍ରାଶାସନିକ ଗୃହ, ମାକେର୍ଟ କମ୍ପ୍ଲେକ୍ସ୍, ଭୋଗ ବଣ୍ଟନ ଗୃହ ଓ ଦୀପ ଘର ଆଦି ନିର୍ମାଣ କରାଯାଇଛି। ଏହାସହ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ବୃଦ୍ଧି ପାଇଁ ବୃକ୍ଷରୋପଣ କରାଯାଇଥିବା ସୂଚନା ରହିଛି।