
ନୂଆଦିଲ୍ଲୀ : ଦେଶରେ ଇଲେକ୍ଟ୍ରିକ୍ ଯାନ (ଇଭି)ର ଯେଉଁ ବିପ୍ଳବ ଆରମ୍ଭ ହୋଇଛି ତାହାର ପ୍ରକୃତ ଲାଭ ୨୦୩୦ ସୁଦ୍ଧା ମିଳିବ। ଏକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ଏଥିରେ ଭାଗ ନେଇଥିବା ୬୬% ଲୋକ କହିଛନ୍ତି ଯେ ୨୦୩୦ ସୁଦ୍ଧା ପେଟ୍ରୋଲ୍ ଓ ଡିଜେଲ୍ କାର୍ ତୁଳନାରେ ଇଭି ବିକ୍ରି ଅଧିକ ରହିବ।
ବାସ୍ତବ ଲାଭ ହାସଲ କରିବା ଲାଗି ୫୭% ଲୋକ ଇଭି କିଣିବାକୁ ଚାହୁଥିବା ବେଳେ ପରିବେଶ ପାଇଁ ଭଲ ହୋଇଥିବାରୁ ୫୬% ଲୋକ ଇଭି କିଣିବାକୁ ଚାହୁଥିବା କହିଛନ୍ତି। ୬୦% ଲୋକ କହିଛନ୍ତି ଭାରତରେ ଇଭି ପାଇଁ ଏବେ ଉପଯୁକ୍ତ ଭିତ୍ତିଭୂମି ବ୍ୟବସ୍ଥା ହୋଇନାହିଁ। ୮୯% ଲୋକ କହିଛନ୍ତି ୨୦୩୦ ସୁଦ୍ଧା ଭିତ୍ତିଭୂମି ପ୍ରସ୍ତୁତ ହୋଇଯିବ। ଇଭି ପ୍ରତି ଆଗ୍ରହ ବଢ଼ିବା ପଛର କାରଣ ସମ୍ପର୍କରେ ୬୨% ଲୋକ ତେଲ ଦର ବୃଦ୍ଧି ବୋଲି କହିଥିବା ବେଳେ ୫୭% ଲୋକ ନୂଆ ପ୍ରଯୁକ୍ତିକୁ ବ୍ୟବହାର କରିବା ପାଇଁ ଆଗ୍ରହ ବୋଲି କହିଛନ୍ତି। ପେଟ୍ରୋଲ୍ ଓ ଡିଜେଲ୍ କାର୍ ତୁଳନାରେ ପରିଚାଳନା ଖର୍ଚ କମ୍ ରହୁଥିବା ୫୧% ଲୋକ ଇଭି କିଣିବାକୁ ଚାହୁଛନ୍ତି। ୬୬% ଲୋକ ଭାବୁଛନ୍ତି ବ୍ୟାଟେରିର ଜୀବନ ୨-୫ ବର୍ଷ ମଧ୍ୟରେ ରହିବ।