ଆଇପିଏଲ 2023: ଶେଷ ୫ ବଲରେ ୫ ଛକା ମାରି କେକେଆରକୁ ବିଜୟ ଭେଟି ଦେଲେ ରିଙ୍କୁ ସିଂ

ଅହମଦାବାଦ: ଆଇପିଏଲ୍‌ ଇତିହାସରେ ଅନ୍ୟତମ ଅବିଶ୍ବସନୀୟ ଶେଷ ଓଭର ମ୍ୟାଚ୍‌ ଦେଖିବାକୁ ମିଳିଛି ରବିବାର। ଶେଷ ୫ ବଲ୍‌ରୁ ୨୮ ରନ୍‌ ଆବଶ୍ୟକ କରୁଥିବା କୋଲକାତା ନାଇଟ୍ ରାଇଡର୍ସ ପାଇଁ ଏହି କଷ୍ଟସାଧ୍ୟ ଲକ୍ଷ୍ୟକୁ ସମ୍ଭବ କରି ଦେଖାଇଛନ୍ତି ଦଳର ନୂଆ ‘ସିଂହ’ ରିଙ୍କୁ। ଅନଭିଜ୍ଞ ୟାଶ ଦୟାଲଙ୍କ ଏହି ୫ ବଲ୍‌କୁ ଲଗାତାର ଛକା ମାରି କ୍ରିକେଟପ୍ରେମୀଙ୍କ ମନରେ ଶିହରଣ ‌ଖେଳାଇ ଦେଇଛନ୍ତି। ୧୫ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌ରେ ଥିବା କେକେଆର୍‌କୁ ରସିଦ୍ ଖାନ୍‌ଙ୍କ ହ୍ୟାଟ୍ରିକ୍ ଲାଇନଚ୍ୟୁତ କରିଦେଇଥିଲା। ନନ୍ ଷ୍ଟ୍ରାଇକର୍ସ ପାର୍ଶ୍ବରୁ ଦଳର ହ୍ୟାଟ୍ରିକ୍ ବିପର୍ଯ୍ୟୟ ଦେଖିଥିବା ରିଙ୍କୁ ସିଂହଙ୍କ ମନରୁ କିନ୍ତୁ ଦମ୍ଭ, ବିଶ୍ବାସ ଖସିଯାଇନଥିଲା। ମ୍ୟାଚ୍‌ ହାରିସାରିଥିବା ଆଚରଣ ଭଳି ଶାନ୍ତ ସ୍ବଭାବରେ ବ୍ୟାଟିଂ କରିଥିଲେ। ମନ ଭିତରେ ଏହି ଉତ୍ତରପ୍ରଦେଶ ବାମହାତୀ ବ୍ୟାଟରଙ୍କ ଥିଲା ଭିନ୍ନ ଯୋଜନା। ସିଂହ କେବେ ଶେଷ ବଲ୍‌ ପୂର୍ବରୁ ହାର ମାନେନାହିଁ, ଏହା ପ୍ରମାଣିତ କରି ଦେଖାଇଥିଲେ। ରିଙ୍କୁ ସମ୍ମୁଖୀନ ହୋଇଥିବା ଶେଷ ୭ ବଲ୍‌ରୁ ୪୦ ରନ୍‌ (୬, ୪, ୬, ୬, ୬, ୬, ୬) ଆଦାୟ କରିଥିଲେ। ୧୯ତମ ଓଭରର ଶେଷ ଦୁଇ ବଲ୍‌ରୁ ୧୦ ରନ୍ ଆଦାୟ କରି ରିଙ୍କୁ ପ୍ରଥମେ ଆତ୍ମବିଶ୍ବାସ ଅର୍ଜନ କରିଥିଲେ। ଅନ୍ତିମ ଓଭରରୁ ୨୯ ରନ୍ ଆବଶ୍ୟକ ପଡ଼ିବା ବେଳେ ୟାସ ଦୟାଲଙ୍କ ଓଭରର ପ୍ରଥମ ବଲ୍‌କୁ ଉମେଶ ଯାଦବ ଏକ ରନ୍‌ ‌ନେଇ ରିଙ୍କୁଙ୍କ ହାତରେ ଦାୟିତ୍ବ ସମର୍ପି ଦେଇଥିଲେ। ପ୍ରଥମ ୩ ବଲ୍‌କୁ ଫୁଲ୍‌ ଟସ୍ ପାଇବା ପରେ ରିଙ୍କୁ ଏହାକୁ ୱାଇଡ୍‌ ଲଙ୍ଗ୍ ଅଫ, ଡିପ୍ ବ୍ୟାକୱାର୍ଡ ସ୍କୋୟାର୍ ଲେଗ୍‌, ଲଙ୍ଗ ଅଫ୍‌ ଉପରେ ଛକା ମାରି ହ୍ୟାଟ୍ରିକ୍ ହାସଲ କରିଥିଲେ। ଏଥି ସହ କେକେଆର୍‌ ବିଜୟ ବାସ୍ନା ପାଇଥିଲା। ଶେଷ ଦୁଇ ବଲ୍‌ରୁ ୧୦ ରନ୍‌ ରହିଯିବା ପରେ ରିଙ୍କୁ ଏହି ଦୁଇ ବଲ୍‌କୁ ଲଙ୍ଗ ଅନ୍‌ ଉପରେ ଛକା ମାରି କେକେଆର୍‌ ଶିବିର ଓ ପ୍ରଶଂସକଙ୍କ ମଧ୍ୟରେ ଅସମ୍ଭବ ଉନ୍ମାଦନା ଓ ଉଲ୍ଲାସର ବାତାବରଣ ଭରି ଦେଇଥିଲେ। ‘କ୍ରିକେଟ୍‌ରେ ଅନେକ କିଛି କଷ୍ଟ ଥିଲେ ବି ଏହା ଅସମ୍ଭବ ନୁହେଁ’ ପୁଣି ବାର୍ତା ଦେଇ ଛାଡ଼ିଗଲା ଏହି ମ୍ୟାଚ୍‌। ୪୦ ଓଭରରୁ ୪୧୧ ରନ୍ ଦେଖିଲେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ର ଲକ୍ଷାଧିକ ଦର୍ଶକ। ଉଭୟ ପାଳିରେ ସାମିଲ ଥିଲା ୩୩ ଚୌକା ଓ ୨୨ ଛକା। ଶେଷକୁ କିନ୍ତୁ ମାତ୍ର ୭ଟି ବଲ୍‌ର ରୋମାଞ୍ଚ ଦେଖାଇ ରିଙ୍କୁ ସମସ୍ତଙ୍କ ହୃଦୟ ଜିତିବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ଛଡ଼ାଇ ନେଇଥିଲେ।

Leave a Reply

Your email address will not be published. Required fields are marked *