
ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି କରିଥିବା ପାଖାପାଖି ୧୫୦ ଜଣ ବହିଷ୍କୃତ ହୋଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଥାନାରେ ଏତଲା ଦିଆଯାଇଛି । ମୟୂରଭଞ୍ଜରେ କେସ୍ ଦାଖଲ ହୋଇ ଗିରଫ ମଧ୍ୟ ହୋଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।ସେ କହିଛନ୍ତି, ନକଲି ସାର୍ଟିଫିକେଟ କଥା ଆଜିର ନୁହେଁ। ବଲାଙ୍ଗୀର ପୋଷ୍ଟାଲରେ ବାହାରିବା ପରେ ସରକାର ଏନେଇ ସକ୍ରିୟ ଅଛନ୍ତି । ସରକାର ଗମ୍ଭୀରତାର ସହ ଖୋଳତାଡ଼ ଜାରି ରଖିଛନ୍ତି । BEO, DEO ମାନଙ୍କୁ ୭ ଦିନ ଭିତରେ ନିଜ ଅଂଚଳର ନକଲି ସାର୍ଟିଫିକେଟଧାରୀଙ୍କ ସମ୍ପର୍କରେ ରିପୋର୍ଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଓଡିଶା ଓ ବାହାର ବିଶ୍ୱବିଦ୍ୟାଳୟକୁ ବି ଚିଠି କରାଯାଇଛି। ବଲାଙ୍ଗିର ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ତାଙ୍କ ଉପରେ ବିଶ୍ୱାସ ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଗଣଶିକ୍ଷା ବିଭାଗରେ ପୂର୍ବରୁ ଖୋଳତାଡ଼ ଚଲାଇଛି । ତେଣୁ ସ୍ୱତନ୍ତ୍ର ଟିମ୍ ଗଠନ ପାଇଁ କିଛି ଆବଶ୍ୟକତା ଆସିନି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।