
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ସିବିଆଇ ଜେରାର ସମ୍ମୁଖୀନ ହୋଇଛନ୍ତି। କେଜ୍ରିୱାଲ ସିବିଆଇ ଦପ୍ତରରେ ମୋଟ ୯ ଘଣ୍ଟା ରହିଥିବା ବେଳେ ତାଙ୍କୁ ୮ ଘଣ୍ଟା ଜେରା ହୋଇଛି। ମଧ୍ୟାହ୍ନ ଭୋଜନ ପାଇଁ ୧ ଘଣ୍ଟା ବିରତି ରହିଥିଲା। ସିବିଆଇ ଦପ୍ତରରୁ ଫେରିବା ପରେ କେଜ୍ରିୱାଲ ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ ସିବିଆଇ ମୋଟ ୫୬ଟି ପ୍ରଶ୍ନ କରିଥିଲା ଏବଂ ସମଗ୍ର ମାମଲା ମିଥ୍ୟା ଉପରେ ପର୍ଯ୍ୟବସିତ ଥିଲା। ଏହି ମାମଲାରେ ସିବିଆଇ ତାଙ୍କୁ ପୁଣି ଜେରା କରିବ ନେଇ କୌଣସି ସଙ୍କେତ ଦେଇନାହିଁ ବୋଲି କେଜ୍ରିୱାଲ କହିଛନ୍ତି।
ରବିବାର ସକାଳେ ସିବିଆଇ ମୁଖ୍ୟାଳୟକୁ ଯିବା ପୂର୍ବରୁ କେଜ୍ରିୱାଲ ତାଙ୍କ ବାସଭବନରୁ ବାହାରି ରାଜଘାଟରେ ପହଞ୍ଚିଥିଲେ ଏବଂ ସେଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ସହିତ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ଦିଲ୍ଲୀର ସମସ୍ତ ମନ୍ତ୍ରୀ ମହଜୁଦ ଥିଲେ। ଜେରାର ସମ୍ମୁଖୀନ ହେବାପାଇଁ ଯିବା ପୂର୍ବରୁ କେଜ୍ରିୱାଲ ଗଣମାଧ୍ୟମକୁ କହିଥିଲେ ଯେ ସିବିଆଇର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ମୁଁ ସଚ୍ଚୋଟତାର ସହ ଦେବି। ମତେ ଗିରଫ କରାଯିବ ବୋଲି ବିଜେପି ନେତାମାନେ ଚିତ୍କାର କରୁଛନ୍ତି। ଯଦି ବିଜେପି ମୋର ଗିରଫଦାରୀ ଆଦେଶ ଦେଇଛି ତା’ହେଲେ ମତେ ଗିରଫ କରିବାକୁ ସିବିଆଇ କିଏ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ କେଜ୍ରିୱାଲଙ୍କୁ ଜେରା ପାଇଁ ସିବିଆଇ ତଲବ ବିରୋଧରେ ଆମ୍ ଆଦ୍ମୀ ପାର୍ଟି ଦିଲ୍ଲୀରେ ଜୋର୍ଦାର ବିରୋଧ ପ୍ରଦର୍ଶନ କରିଛି। ଆପ୍ କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି। ଏନ୍ଏଚ୍-୪୪, ଜିଟି କର୍ନାଲ ରୋଡରେ ଆପ୍ର ବିରୋଧ ପ୍ରଦର୍ଶନ ପାଇଁ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା। ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ପୁଲିସ ଆପ୍ ବିଧାୟକ ଏବଂ କାଉନ୍ସିଲରମାନଙ୍କୁ ଅଟକ ରଖିଛି। ପ୍ରାୟ ୩୨ ଜଣ ବିଧାୟକ ଏବଂ ୭୦ କାଉନ୍ସିଲରଙ୍କୁ ଅଟକ ରଖାଯାଇଥିବା ଦାବି କରାଯାଇଛି। ଦିଲ୍ଲୀର ୧୫ଟି ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ ୧୫୦୦ରୁ ଅଧିକ ଲୋକଙ୍କୁ ପୁଲିସ ବିଭିନ୍ନ ଥାନାରେ ଅଟକ ରଖିଥିବା ଦଳ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ସିଂଘୁ ସୀମାରେ ପଂଜାବର ୨୦ ଆପ୍ ବିଧାୟକଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିବା ଖବର ମିଳିଛି।
ଦିଲ୍ଲୀ ବିଧାନସଭା ବାଚସ୍ପତି ରାମନିବାସ ଗୋୟଲ କହିଛନ୍ତି ଯେ ଏହା ଗଣତନ୍ତ୍ରର ହତ୍ୟା ଏବଂ ଯୋଜନାବଦ୍ଧ ଷଡ଼୍ଯନ୍ତ୍ରର ଅଂଶ ଭାବେ କେଜ୍ରିୱାଲଙ୍କୁ ସିବିଆଇ ଜେରା କରୁଛି। ଜାତୀୟସ୍ତରରେ ଆପ୍ର ଶକ୍ତି ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଅଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରୁଛନ୍ତି ବୋଲି ସେ କହିଛନ୍ତି। ଏହାର ଜବାବରେ ବିଜେପି ପକ୍ଷରୁ କୁହାଯାଇଛି ଯେ କେଜ୍ରିୱାଲ ହିଁ ଅବକାରୀ ଦୁର୍ନୀତିର କିଙ୍ଗ୍ପିନ୍ ବୋଲି ସମସ୍ତେ ଜାଣନ୍ତି। ସିବିଆଇ ଏକ ସ୍ବତନ୍ତ୍ର ସଂସ୍ଥା ଏବଂ ଦୁର୍ନୀତି ବିରୋଧରେ ମିଳିଥିବା ପ୍ରମାଣ ଆଧାରରେ କେଜ୍ରିୱାଲଙ୍କୁ ଜେରା କରାଯିବାରେ ସମସ୍ୟା ରହିଲା କେଉଁଠି ବୋଲି ବିଜେପି ପ୍ରଶ୍ନ କରିଛି।