
ଚୀନ୍କୁ ପଛରେ ପକାଇ ଭାରତ ଏବେ ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ପରିଣତ ହୋଇଛି। ଭାରତର ଜନସଂଖ୍ୟା ଚୀନ୍ ଜନସଂଖ୍ୟାକୁ ଟପିଯାଇଛି। ଜାତିସଂଘ ତଥ୍ୟ ଅନୁଯାୟୀ ଭାରତର ଜନସଂଖ୍ୟା ୧୪୨.୮୬ କୋଟି ଥିବା ବେଳେ ଚୀନ୍ ଜନସଂଖ୍ୟା ୧୪୨.୫୭ କୋଟି। ଚୀନ୍ଠାରୁ ଭାରତର ଜନସଂଖ୍ୟା ସେତେ ଅଧିକ ନଥିଲେ ବି ଜନସଂଖ୍ୟାରେ ଭାରତ ଚୀନ୍କୁ ଟପିଯିବା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ୧୯୫୦ରେ ଜାତିସଂଘ ଜନସଂଖ୍ୟା ତଥ୍ୟ ସଂଗ୍ରହ କରିବା ପରଠାରୁ ଭାରତ ପ୍ରଥମ ଥର ପାଇଁ ଜାତିସଂଘର ସର୍ବାଧିକ ଜନବହୁଳ ରାଷ୍ଟ୍ର ତାଲିକାର ଶୀର୍ଷରେ ରହିଛି। ଅନ୍ୟପକ୍ଷେ ଚୀନ୍ରେ ଜନ୍ମହାର ହ୍ରାସ ପାଇଛି ଏବଂ ଆଗକୁ ମଧ୍ୟ ଆହୁରି ହ୍ରାସ ପାଇବ। ଚୀନ୍ର ଏକାଧିକ ଅଞ୍ଚଳରେ ଜନ୍ମହାର ବୃଦ୍ଧି କରିବାପାଇଁ ଯୋଜନା ଘୋଷଣା ହୋଇଛି, କିନ୍ତୁ ସବୁ ଯୋଜନା ବିଫଳ ହୋଇଛି।
ଜାତିସଂଘ ତଥ୍ୟ ଅନୁଯାୟୀ ଭାରତୀୟ ଜନସଂଖ୍ୟାର ୨୫ ପ୍ରତିଶତ ୦-୧୪ ବର୍ଷ ବୟସବର୍ଗରେ ରହିଛନ୍ତି। ୧୦-୧୯ ବର୍ଷ ବୟସ ମଧ୍ୟରେ ୧୮ ପ୍ରତିଶତ ଜନସଂଖ୍ୟା ଅଛନ୍ତି। ୨୬ ପ୍ରତିଶତ ଲୋକଙ୍କ ବୟସ ୧୦-୨୪ ବର୍ଷ ମଧ୍ୟରେ। ଅନ୍ୟପକ୍ଷେ ୧୫-୬୪ ବର୍ଷ ମଧ୍ୟରେ ୬୮ ପ୍ରତିଶତ ଲୋକ ଅଛନ୍ତି ଏବଂ ମାତ୍ର ୭ ପ୍ରତିଶତ ଜନସଂଖ୍ୟାଙ୍କ ବୟସ ୬୫ ବର୍ଷରୁ ଅଧିକ। ବିଭିନ୍ନ ସଂସ୍ଥା ଦ୍ବାରା ହୋଇଥିବା ଆକଳନ ଅନୁଯାୟୀ ଭାରତର ଜନସଂଖ୍ୟା ଆଗାମୀ ୩ ଦଶନ୍ଧି ପର୍ଯ୍ୟନ୍ତ ବଢ଼ିବ। ୧୬୫ କୋଟିରେ ପହଞ୍ଚିବାପରେ ଭାରତର ଜନସଂଖ୍ୟା ହ୍ରାସ ପାଇବ। ଭାରତର ଜନସଂଖ୍ୟା ନେଇ ନିକଟରେ କୌଣସି ସରକାରୀ ତଥ୍ୟ ଜାରି ହୋଇନାହିଁ। କାରଣ ୨୦୧୧ ପରଠାରୁ ଭାରତରେ କୌଣସି ଜନଗଣନା ହୋଇନାହିଁ। ୨୦୨୧ ଜନଗଣନା କାର୍ଯ୍ୟକ୍ରମ କରୋନା ମହାମାରୀ ଯୋଗୁଁ ବିଳମ୍ବିତ ହୋଇଛି। ଏକ ଆକଳନ ଅନୁଯାୟୀ କେରଳ ଏବଂ ପଂଜାବରେ ବେଶି ବୟସ୍କ ଲୋକ ଅଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ ଏବଂ ବିହାରରେ ଅଧିକାଂଶ ଯୁବକ ଅଛନ୍ତି।