
ଭୁବନେଶ୍ୱର: ସାମ୍ନାକୁ ଆସୁଛି ଗୁଡ୍ଡୁ ମୁସଲିମର ଓଡ଼ିଶା ଲିଙ୍କ । ଦୁଇ ଦିନ ତଳେ ୟୁପି ଏସଟିଏଫ୍ ଟିମ୍ ବରଗଡ ଆସି ରାଜା ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଛି । ଏନେଇ ଓଡ଼ିଶା ପୋଲିସକୁ ୟୁପି ପୋଲିସ ସହାୟତା ମାଗିଥିଲା ବୋଲି କହିଛନ୍ତି ପୋଲିସ ଡିଜି ।
ରାଜା ଖାନ ହେଉଛନ୍ତି ସୁନ୍ଦରଗଡ଼ର ବାସିନ୍ଦା । ସେ ଦୀର୍ଘଦିନ ହେବ ବରଗଡ଼ ଜିଲ୍ଲାରେ ରହି ବ୍ୟବସାୟ କରୁଛନ୍ତି । ରାଜାଙ୍କ ସହ ଗୁଡୁ ମୁସଲିମର ଡ୍ରାଇଭର କେତେ ଦିନର ସମ୍ପର୍କ ? ବ୍ୟବସାୟିକ ସମ୍ପର୍କ ଥିଲା ନ ଆଉ କିଛି ସମ୍ପର୍କ ରହିଥିଲା ? ରାଜା କେବେ ଉତ୍ତର ପ୍ରଦେଶ ଯାଇଛନ୍ତି କି ? ରାଜାଙ୍କ ନାଁରେ ଥାନାରେ ମାମଲା ଅଛି କି ? ସେନେଇ ପୋଲିସ ତନାଘନା ଚଲାଇଛି ।
ୟୁପିର ଏସ୍ଟିଏଫ୍ ଟିମ୍ ବରଗଡ଼ ଆସିଥିବା ନେଇ ପୋଲିସ ଡିଜି ସୁନୀଲ ବଂଶଲ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଆମକୁ ସେମାନେ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ଆମ ପ୍ରୋଟୋକଲ ଅନୁଯାୟୀ, ଆମେ ତାଙ୍କୁ ସାହାଯ୍ୟ ଦେଇଛୁ । ଉମେଶ ପାଲ ହତ୍ୟାକାଣ୍ଡ ଘଟଣାର ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ଗୁଡୁ ମୁସଲିମ୍ ଅନ୍ୟତମ । ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ପ୍ରାଣ ହରାଇଥିବା ବେଳେ ଗୁଡୁ ମୁସଲିମ ସମେତ ଆଉ ୪ ଅଭିଯୁକ୍ତ ଏବେ ଫେରାର ଅଛନ୍ତି । ଗୁଡୁ ମୁସଲିମକୁ ଧରିବା ପାଇଁ ପୋଲିସ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି ।
ସେହିପରି ବରଗଡ଼ ଏସ୍ପି ପ୍ରହ୍ଲାଦ ସାହାଇ ମୀନା କହିଛନ୍ତି, ଗୁଡ୍ଡୁ ମୁସଲିମ୍ ଲିଙ୍କ୍ରେ ୟୁପିର ଏସଟିଏଫ ଟିମ୍ ବରଗଡ଼ ଆସିଥିଲେ । ୫ ଜଣିଆ ଟିମ୍ ୧୮ ତାରିଖରେ ବରଗଡ଼ ଆସିଥିଲେ। ଦୁଇ ଦିନ ଯାଏ ବରଗଡ଼ରେ ରହି ଜଣେ ବ୍ୟକ୍ତିକୁ ଜେରା କରିଥିଲେ। ୧୮ ଓ ୧୯ ଦୁଇ ଦିନ ରହିବା ପରେ ଗତକାଲି ଏଠାରୁ ଯାଇଥିଲେ। ବରଗଡ଼ ଆସିବା ପରେ STF ଟିମ୍ ଆମକୁ ଅବଗତ କରିଥିଲେ।