
ଭୁବନେଶ୍ୱର ୦୨/୦୫/୨୦୨୩: ଦକ୍ଷିଣ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏନେଇ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକରେ କହିଛନ୍ତି, ଗ୍ରୀଷ୍ମ ଋତୁରେ ବାତ୍ୟାର ଗତି ଜଟିଳ । ୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା । ତେଣୁ ଏଥିରେ କୌଣସି ବିଳମ୍ବ ନ କରି ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡିବ।
ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୮ଟି ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଏସଆରସି ସତ୍ୟବ୍ରତ ସାହୁ। ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ କାର୍ୟ୍ୟକ୍ଷମ କରାଯାଉଛି। ୧୭ଟି ଏନ୍ଡିଆର୍ଏଫ୍ ଓ ୨୦ଟି ଓଡ୍ରାଫ୍ ଟିମ୍କୁ ପ୍ରସ୍ତୁତ ରଖାଯାଇଛି ବୋଲି ଏସଆରସି କହିଛନ୍ତି। ସେହିଭଳି ପୁନରୁଦ୍ଧାର ଓ ଥଇଥାନ କାର୍ୟ୍ୟକ୍ରମକୁ ତ୍ୱରାନ୍ଵିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ଶାସନ ସଚିବ ବାତ୍ୟା ସଂପର୍କରେ ନିୟମିତ ସମୀକ୍ଷା କରିବା ସହ ଏସଆରସିଙ୍କୁ ସମସ୍ତ ବିଭାଗ ସହିତ ସମନ୍ଵୟ ରଖି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।