‘ନିର୍ଭୟ’ ଖବରକାଗଜ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା; ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଭଞ୍ଜନଗର ୦/୦୫/୨୦୨୩ ( ଓଡ଼ିଶା ଟୁଡେ, ବବି ରଥ): ସୂଚନା ଅଧିକାର ଆଇନ ରେ ବିଭିନ୍ନ ତଥ୍ୟ ମାଗିବା ସହ ଖବର ପରିବେଷଣ କରିଥିବାରୁ ଦୈନିକ ଖବରକାଗଜ ‘ନିର୍ଭୟ’ର କେନ୍ଦ୍ରାପଡା ସାମ୍ବାଦିକ ଆଳୟ କୁମାର ସାମନ୍ତରାୟଙ୍କୁ ଗତ ୨୮ ତାରିଖ ଶୁକ୍ରବାର ଦିନ ମରଣାନ୍ତକ ଆକ୍ରମଣ କରାଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ଡାକ୍ତରଖାନା ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଅଛି। ଏ ପର୍ଯ୍ୟନ୍ତ ମାର୍ଶାଘାଇ ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟଙ୍କୁ ସଙ୍ଘ ତରଫରୁ ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ର ପ୍ରଦାନ ସମୟରେ ସଙ୍ଘର ସଭାପତି ପ୍ରଦୀପ କୁମାର ସ୍ବାଇଁ, ଉପସଭାପତି ଅମରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ନଚିକେତା ପ୍ରଧାନ, ସହ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ସାହୁ, ବ୍ଲକ୍ ସଂଯୋଜକ ପୁରୁଷୋତ୍ତମ ମହାପାତ୍ରଙ୍କ ସମେତ ସଙ୍ଘର ଅନ୍ୟାନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ବବି ରଥ ଙ୍କ ସହ ଅନ୍ୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି ‘ନିର୍ଭୟ’ର ସାମ୍ବାଦିକ ଆଳୟ କୁମାର ସାମନ୍ତରାୟ ସୂଚନା ଅଧିକାର ଆଇନ ରେ ତଥ୍ୟ ସଂଗ୍ରହ କରି ଯଦୁପୁର ପଞ୍ଚାୟତରେ ଆଲୋକୀକରଣରେ ଦୁର୍ନୀତୀ ହୋଇଥିବା ଖବର ପ୍ରକାଶ କରିଥିଲେ। ଏପରିକି ମାର୍ଶାଘାଇ ଥାନା ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ଖବର ପ୍ରକାଶ କରିଥିଲେ। ଅନେକ ଦୁର୍ନୀତୀର ଖୁଲାସା ମଧ୍ୟ କରିଥିଲେ। ତେଣୁ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ୨୮ ତାରିଖ ଶୁକ୍ରବାର ଦିନ ସ୍ପଷ୍ଟ ଦିବାଲୋକରେ ତାଙ୍କ ଗ୍ରାମ ନିକଟ ଜାତୀୟ ରାଜପଥରେ ଦୁଇଜଣ ଅସାଧୁ ବ୍ୟକ୍ତି ବୁଲେଟରେ ଆସି ମରଣାନ୍ତକ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଓ କିଛି ସାମ୍ବାଦିକ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *