
ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ାଙ୍କ ନିର୍ବନ୍ଧ ଶେଷ ହୋଇଛି । ଉଭୟ ପରିଣୀତି ଓ ରାଘବ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଗତ କିଛି ଦିନ ହେଲାଣି ପରିଣୀତିଙ୍କ ବିବାହ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ସହ ହେବ ବୋଲି କୁହାଯାଉଥିବା ବେଳେ ଆଜି ଦୁହିଁଙ୍କ ନିର୍ବନ୍ଧ ସଂପନ୍ନ ହୋଇଛି । ରାଘବ-ପରିଣୀତିଙ୍କ ନିର୍ବନ୍ଧ ପାଇଁ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବଲିଉଡ କଳାକାରଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ଦିଲ୍ଲୀରେ ପହଞ୍ଚି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।
ନୂଆଦିଲ୍ଲୀର କପୁରତାଲା ହାଉସରେ ଅନୁଷ୍ଠିତ ଏହି ନିର୍ବନ୍ଧ ଉତ୍ସବରେ ବହୁ ଭିଆଇପି ଅତିଥି ଯୋଗ ଦେଇଛନ୍ତି । ଏହି ଦମ୍ପତିଙ୍କ ନିର୍ବନ୍ଧରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏବଂ ଆଦିତ୍ୟ ଠାକରେ କପୁରତାଲା ହାଉସରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ପରିଣୀତିଙ୍କ ଭଉଣୀ ତଥା ବଲିଉଡ-ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଛନ୍ତି ।