ଅଗଷ୍ଟ ୩୧ରୁ ଏସିଆ କପ୍‌

ନୂଆଦିଲ୍ଲୀ,୧୫ା୬: ଏସିଆ କପ୍‌ କ୍ରିକେଟକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ହାଇବ୍ରିଡ୍‌ ମଡେଲରେ ଟୁର୍ନାମେଣ୍ଟ ଖେଳାଯିବ ବୋଲି ଏସିଆନ କ୍ରିକେଟ କାଉନ୍‌ସିଲ (ଏସିସି) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ୪ଟି ମ୍ୟାଚ୍‌ ପାକିସ୍ତାନରେ ଏବଂ ୯ଟି ଶ୍ରୀଲଙ୍କାରେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଖେଳାଯିବ।ଜୟ ଶାହାଙ୍କ ନେତୃତ୍ୱାଧୀନ ଏସିସି ପାକିସ୍ତାନ କ୍ରିକେଟ ବୋର୍ଡର ହାଇବ୍ରିଡ୍‌ ମଡେଲକୁ ଗ୍ରହଣ କରିବା ପରେ ୫୦ ଓଭର ବିଶିଷ୍ଟ ଟୁର୍ନାମେଣ୍ଟର ଆୟୋଜନ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ହୋଇଛି। ପ୍ରସ୍ତାବ ଅନୁସାରେ ପାକିସ୍ତାନରେ ୪ଟି ଅଣ ଭାରତୀୟ ମ୍ୟାଚ ଖେଳାଯିବ। ଦୁଇ ଦେଶ ମଧ୍ୟରେ ରାଜନୈତିକ ଉତ୍ତେଜନା ଲାଗି ରହିଥିବାରୁ ପାକିସ୍ତାନକୁ ଦଳ ପଠାଇବା ଲାଗି ବିସିସିଆଇ ରାଜି ହୋଇ ନ ଥିଲା। ଫଳରେ ହାଇବ୍ରିଡ୍‌ ମଡେଲ ପ୍ରସ୍ତାବ ଆସିଥିଲା। ଏସିଆ କପ୍‌ ୨୦୨୩ରେ ମୋଟ ୧୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯିବ। ଏଥିରେ ଭାରତ ଓ ପାକିସ୍ତାନ ବ୍ୟତୀତ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ନେପାଳ ଅଂଶଗ୍ରହଣ କରିବ।

Leave a Reply

Your email address will not be published. Required fields are marked *