
ଭୁବନେଶ୍ୱର: ରାଜ୍ୟରେ ପାରଦ ଉପର ମୁହାଁ ହେବା ସହ ଅସହ୍ୟ ହୋଇପଡ଼ିଛି ତାତି । ପ୍ରଚଣ୍ଡ ଖରା ଓ ଗୁଳିଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ଏପରିକି ଏପରି ସ୍ଥିତି ଆହୁରି 5 ଦିନ ଯାଏଁ ଲାଗି ରହିବ । ସାରା ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି ।
କିନ୍ତୁ ଦିନର ଖରା ତାତିରୁ ଅପରାହ୍ନରେ ସାମାନ୍ୟ ଆଶ୍ୱସ୍ତି ଦେବ କାଳ ବୈଶାଖୀ । ଘଡ଼ଘଡ଼ି ସହ ବର୍ଷା ଫଳରେ ତାତିରୁ ସାମାନ୍ୟ ତ୍ରାହି ମିଳିବ ।ଏପରିକି ଆସନ୍ତା 24 ଘଣ୍ଟା ମଧ୍ୟରେ 10 ଜିଲ୍ଲାରେ କାଳବୈଶାଖୀ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ଝଡ଼ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ।ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ବଜ୍ରପାତ ସମୟରେ ଲୋକଙ୍କୁ ପାଣିପାଗ ଉପରେ ନଜର ରଖି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି ।ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ରାତି ସମୟରେ ଅସହ୍ୟ ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି । ଗ୍ରୀଷ୍ମ ପ୍ରବାହ ସମୟରେ ଅଂଶୁଘାତର ଆଶଙ୍କା ରହିଥିବାରୁ ଦିନ 11 ଟାରୁ ଅପରାହ୍ନ 3 ଟା ମଧ୍ୟରେ ବାହାରକୁ ଯିବା ସମୟରେ ସତର୍କତାମୂଳକ ପଦକ୍ଷେପ ନେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।