
ଆଉ ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତେବେ ମନ୍ କି ବାତ୍ କାର୍ଯକ୍ରମର ଆଜି ୧୦୨ତମ ସଂସ୍କରଣରେ ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥି ସହିତ ପୁରୀ ରଥଯାତ୍ରାକୁ ଅଦ୍ଭୁତ କହିଛନ୍ତି ପ୍ରଧାନମନ୍ତ୍ରୀ ।କହିରଖୁ କି, ଚଳିତ ମାସରେ ସପ୍ତାହେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ ‘ରଥଯାତ୍ରାରେ ପ୍ରତ୍ୟେକ ବର୍ଗ ସାମିଲ୍ ହେବା ବାସ୍ତବରେ ଅନୁକରଣୀୟ । ଏହା ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ଅଟେ । ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁଖ, ସମୃଦ୍ଧ ଓ ସୁସ୍ଥ ରଖନ୍ତୁ ଏତିକି କାମନା କରୁଛି । ୨୦୨୫ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବା ଦିଗରେ କାମ କରିବା’ ।ସେପଟେ, ତିନି ରଥର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଶନିବାର ଦିନ ଜଳଯନ୍ତ୍ରରେ ପାର୍ଶ୍ବ ଦେବାଦେବୀ ଓ ଶିଖର ଡମ୍ବରୁ ଲାଗିବା ଶେଷ ହୋଇଛି । କେବଳ ପ୍ରଭା ଲାଗିବା ବାକି ଥିବା ବେଳେ ଏହାର ରଙ୍ଗ କାର୍ଯ୍ୟ ଜାରି ରହିଛି । ସିଂହଦ୍ବାର ଚକଡ଼ାରେ ତିନି ରଥ ପହଁଞ୍ଚିବା ପରେ ତିନି ସାରଥୀଙ୍କୁ ରଥ ଉପରକୁ ନିଆଯିବ । ଅନ୍ୟପଟେ ଶନିବାର ଦିନ ଠାରୁ ତିନି ରଥର କନାମଣ୍ତଣି ଆରମ୍ଭ ହୋଇଛି । କୋଠ ସୁଆଁସିଆମାନଙ୍କ ଦ୍ବାରା କନାମଣ୍ତଣି କାର୍ଯ୍ୟର ଆଜି ଅନୁକୂଳ ହୋଇଛି । ଦରଜି ସେବକମାନେ ତିନି ରଥର କନା ତିଆରି ଶେଷ କରି ଦେବା ପରେ କୋଠ ସୁଆଁସିଆମାନେ ଆଜି ତିନି ରଥର ଦୁଆର ବେଢାରେ କନା ପକାଇଛନ୍ତି । ଶ୍ରୀଗୁଣ୍ତିଚା ଯାତ୍ରା ପୂର୍ବରୁ ସମସ୍ତ କନା କାମ ଶେଷ ହେବ ।