ଦିଗପହଣ୍ଡିରେ ଭୟଙ୍କର ବସ୍‌ ଦୁର୍ଘଟଣା; ୧୨ ଜଣଙ୍କ ମୃତ୍ୟୁ; ମୁଖ୍ୟମନ୍ତ୍ରୀଙ୍କ ଶୋକ; ମୃତକଙ୍କ ଲାଗି ୩ ଲକ୍ଷ, ଆହତଙ୍କୁ ମାଗଣା ଚିକିତ୍ସା

ଦିଗପହଣ୍ଡି: ଗତକାଲି ରାତି ସମୟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଓ ୨ ଶିଶୁ ଅଛନ୍ତି ।

ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଗୁଡାରିଠାରୁ ଭୁବନେଶ୍ୱର ଯାଉଥିବା ଓଏସ୍‌ଆର୍‌ଟିସି ବସଟି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକଠାରେ ବିବାହ ଭୋଜି ସାରି ଫେରୁଥିବା ଏକ ଘରୋଇ ବସ୍‌କୁ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି ବୋଲି ଖବର ମିଳିଛି । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ବସ୍ ଟି ଓଲଟି ପଡ଼ିଥିଲା । ବସ୍ ତଳେ ଅନେକ ଯାତ୍ରୀ ଚାପି ହୋଇ ପ୍ରାଣ ହରାଇଛନ୍ତି ।

ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି । ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆହତମାନଙ୍କୁ ୩୦ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ରହିଛି ।

ଦିଗପହଣ୍ଡି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଅନ୍ୟପକ୍ଷରେ ଦିଗପହଣ୍ଡି ଦୁର୍ଘଟଣାର ମୃତକଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ଘୋଷଣା କରାଯାଇଛି । ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ପ୍ରଦାନ ନେଇ ଘୋଷଣା କରାଯାଇଛି । ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାସ୍ଥଳକୁ ଯିବାକୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *