
ଭୁବନେଶ୍ବର (ଓଡ଼ିଶା ଟୁଡେ): ଭାରତରେ ଶିକ୍ଷାଗ୍ରହଣ ପାଇଁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ‘ଷ୍ଟଡି ଇନ୍ ଇଣ୍ଡିଆ’ ପୋର୍ଟାଲର ଶୁଭାରମ୍ଭ ହୋଇଛି । ଏହି ପୋର୍ଟାଲ ଭାରତରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ଏକାଡେମିକ ଯାତ୍ରାକୁ ସହଜ କରିବ । ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଭିସା ଆବେଦନ ସହିତ ଗୋଟିଏ ପ୍ଲାଟଫର୍ମରେ ସବୁ ସମସ୍ୟାର ସମାଧାନ ହେବ । କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ‘ଷ୍ଟଡି ଇନ ଇଣ୍ଡିଆ’ ପୋର୍ଟାଲ ଲଞ୍ଚ କରିଛନ୍ତି ।
ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଶିକ୍ଷା ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ପୋର୍ଟାଲ ଆରମ୍ଭ ହୋଇଛି । ଷ୍ଟଡି ଇନ୍ ଇଣ୍ଡିଆ ପୋର୍ଟାଲ ଭାରତରେ ପାଠ ପଢୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଭିସା ଆବେଦନ ସହ ଗୋଟିଏ ପ୍ଲାଟଫର୍ମରେ ସବୁ ସମସ୍ୟାର ସମାଧାନ ହେବ । ଏହି ପୋର୍ଟାଲରେ ବିଦେଶରୁ ଆସି ଭାରତରେ ଅଧ୍ୟୟନ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ଡାଟା ବ୍ୟାଙ୍କ୍ ରହିବ, ଯାହା ମାଧ୍ୟମରେ ଭାରତକୁ ଆସୁଥିବା ବିଦେଶୀ ଛାତ୍ରଛାତ୍ରୀ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଯୋଗସୂତ୍ର ରକ୍ଷା କରିପାରିବେ ।
ଷ୍ଟଡି ଇନ୍ ଇଣ୍ଡିଆ ଭାରତ ସରକାରଙ୍କ ଏକ ମହତ୍ବକାଂକ୍ଷୀ କାର୍ଯ୍ୟକ୍ରମ, ଯାହା ସରକାରଙ୍କ ମଧ୍ୟରେ ନୀତିଗତ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତାକୁ ମଜଭୁତ କରିବ । ଭାରତ ନବସୃଜନ ଓ ଟେକ୍ନୋଲୋଜିର କେନ୍ଦ୍ରସ୍ଥଳୀ ହେବା କାରଣରୁ ବିଶ୍ବର ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନ କରିବା ଲାଗି ଏହା ଏକ ଉପଯୁକ୍ତ ସ୍ଥାନ ଭାବରେ ଉଭା ହୋଇଛି । ସୁଲଭ ଓ ଗୁଣାତ୍ମକ ଶିକ୍ଷାର ସନ୍ତୁଳନ ହିଁ ଭାରତରେ ଅଧ୍ୟୟନ କରିବା ପାଇଁ ଏକ ବିଶେଷ ସୁଯୋଗ ପ୍ରଦାନ କରୁଛି । ଯୋଗ ଓ ଆୟୁର୍ବେଦ ଭଳି ପାରମ୍ପରିକ ଜ୍ଞାନ, ଏଆଇ, ରୋବୋଟିକ୍ସ, ସେମି କଣ୍ଡକ୍ଟର ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଭଳି ଉଭା ହେଉଥିବା ଟେକ୍ନୋଲୋଜି ଉପରେ ଭାରତର ବିଶ୍ବବିଦ୍ୟାଳୟ ଗୁଡିକ ଶିକ୍ଷା ପ୍ରଦାନ କରୁଛନ୍ତି । ବିବିଧ କାର୍ଯ୍ୟକ୍ରମ ଓ ପାଠ୍ୟଖସଡା ଛାତ୍ରଛାତ୍ରୀଙ୍କୁ ନିଜର ଏକାଡେମିକ ଯାତ୍ରାକୁ ସ୍ବରୂପ ଦେବା ସହ ନିଜ ଲକ୍ଷ୍ୟ ପୂରଣ ଦିଗରେ ସାହାଯ୍ୟ କରିବ ।
ଏହି ୱେବସାଇଟ ଛାତ୍ରଛାତ୍ରୀଙ୍କୁ ଭାରତର ଉଚ୍ଚ ଶିକ୍ଷାନୁଷ୍ଠାନରେ ଥିବା ବିଭିନ୍ନ ଉପକ୍ରମ ଓ ପାଠ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିବ । ଜାତୀୟ ଶିକ୍ଷା ନୀତି ଅଧିକରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଭାରତରେ ପଢିବା ପାଇଁ ଗୁରୁତ୍ବ ଦେଉଛି । ଏହାଦ୍ବାରା ଶିକ୍ଷାର ଆନ୍ତର୍ଜାତୀକ କରଣର ଲକ୍ଷ୍ୟ ପୂରଣ ହୋଇପାରିବ । ବିଦେଶୀ ବିଶ୍ବବିଦ୍ୟାଳୟ ସହ ସହଭାଗିତା, ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟାଳୟ ସ୍ଥାପନ କରିବା, ବିଦେଶୀ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଆକୃଷ୍ଟ କରାଯାଉଛି ।