
ଭୁବନେଶ୍ବର/ ସମ୍ବଲପୁର (ଓଡ଼ିଶା ଟୁଡେ): ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଛି l ଛତିଶଗଡ଼ ପଟୁ ଆସୁଛି ବନ୍ୟାପାଣି l ଫଳରେ ବୃଦ୍ଧି ପାଉଛି ହୀରାକୁଦ ଜଳସ୍ତର l ପୂର୍ବରୁ 2ଟି ଗେଟ ଖୋଲା ଥିବାବେଳେ ହୀରାକୁଦର ଜଳ ସୁ-ପରିଚାଳନା ଲାଗି ଆଉ 5ଟି ଗେଟ ଖୋଲିବାକୁ ନିଷ୍ପତ୍ତି ନେଇଛି ଜଳସମ୍ପଦ ବିଭାଗ । ବର୍ତ୍ତମାନ 7ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ସନ୍ଧ୍ୟା ସୁଦ୍ଧା ଆଉ ଗେଟ ଖୋଲାଯିବାର ସମ୍ଭାବନା ରହିଛି ।
ହୀରାକୁଦର ଉପରମୁଣ୍ଡ ଛତିଶଗଡ଼ ମହାନଦୀ ଅବବାହିକରେ ଲାଗି ରହିଛି ପ୍ରବଳ ବର୍ଷା l ହୀରାକୁଦ ଉପରମୁଣ୍ଡରେ 17.92 ମିମି ଓ ତଳମୁଣ୍ଡରେ 1.39ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆଜି (ଶୁକ୍ରବାର) ମଧ୍ୟାହ୍ନ 12 ଯାଏଁ ଜଳସ୍ତର 616.37ଫୁଟ ରହିଛି । ବର୍ତ୍ତମାନ ଡ୍ୟାମକୁ ପ୍ରତି ସେକେଣ୍ଡରେ 4ଲକ୍ଷ 74ହଜାର 646 ଘନଫୁଟ ଜଳ ପ୍ରବେଶ କରୁଛି । ହୀରାକୁଦ ଡ୍ୟାମର ଜଳ ଧାରଣା କ୍ଷମତା 630ଫୁଟ ହୋଇଥିବା ବେଳେ ଜଳସ୍ତର ବୃଦ୍ଧି ପାଉଥିବାରୁ ଡ୍ୟାମର ସୁରକ୍ଷା ନେଇ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି । ହୀରାକୁଦ ଉପର ମୁଣ୍ଡ ଛତିଶଗଡ଼ର ଶିରୋଡ଼ିହିରୁ ସେକେଣ୍ଡ ପ୍ରତି 4ଲକ୍ଷ 62 ହଜାର ଘନଫୁଟ ବନ୍ୟା ଜଳ ଆସୁଛି l କେଲୋ ବ୍ୟାରେଜରୁ ସେକେଣ୍ଡ ପ୍ରତି 3ଲକ୍ଷ 70ହଜାର ଘନଫୁଟ ବନ୍ୟା ଜଳ ଆସୁଛି । ଏହା ସହ ଏଥିରେ ଦେଓଗାଁ ଠାରେ ଇବ ଓ ଭେଡେନ ନଦୀର ବନ୍ୟା ଜଳ ମିଶି ହୀରାକୁଦରେ ପଶୁଛି । ଆଜି ରାତି 12ସୁଦ୍ଧା ସେକେଣ୍ଡ ପ୍ରତି 5ଲଷ 63 ହଜାର ଘନଫୁଟ ଜଳ ହୀରାକୁଦରେ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ହୀରାକୁଦ ଡ୍ୟାମର ବାମପଟୁ 4ଟି ଓ ଡାହାଣ ପଟୁ 3ଟି ଖୋଲା ଯାଇଛି ।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତିଙ୍କ ସୂଚନା ଅନୁସାରେ, “ହୀରାକୁଦର ଅଧିକ ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପର୍ଯ୍ୟାୟ କ୍ରମେ ଏହି ହୀରାକୁଦର ଗେଟ ଖୋଲିବ । 2ଟା ବେଳେ 5ଟି ଗେଟ ଖୋଲିଛି । ପୂର୍ବରୁ 2ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବର୍ତ୍ତମାନ 7ଟି ଗେଟ ଦେଇ ସେକେଣ୍ଡ ପ୍ରତି ପାଖା ପାଖି 1 ଲକ୍ଷ ଘନ ଫୁଟ ବନ୍ୟାଜଳ ଜଳ ନିଷ୍କାସିତ ହେଉଛି ।”
ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ସ୍ୱାଭାବିକ ଅଛି । ମୁଣ୍ଡୁଳିରେ ଏବେ 6 ଲକ୍ଷ 62 କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ବେଲଗାଁରେ 39 ହାଜର 400 କ୍ୟୁସେକ, ପଥରଲାରେ ପ୍ରାୟ 1 ଲକ୍ଷ 64 ହଜାର କ୍ୟୁସେକ, ଖାଇରମାଳରେ 3 ଲକ୍ଷ 10 ହଜାର କ୍ୟୁସେକ ଓ ବରମୂଳରେ 4 ଲକ୍ଷ 48 ହଜାର କ୍ୟୁସେକ ବନ୍ୟାଜଳ ଜଳ ପ୍ରବାହିତ ହେଉଛି । ହୀରାକୁଦର ଗେଟ ଖୋଲିବା ପରେ ଜଳସ୍ତର ଖାଇରମାଳରେ ପ୍ରାୟ 4 ଲକ୍ଷ କ୍ୟୁସେକ ହେବ । 5 ଗେଟ ଖୋଲିବା ପରେ ହୀରାକୁଦରୁ ନିଷ୍କାସିତ ଜଳ ଖାଇରମାଳରେ ପହଞ୍ଚିବାକୁ 12 ଘଣ୍ଟା ଲାଗିବ । ସେତେବେଳେ ସେଠାରେ ଜଳ 4 ଲକ୍ଷ କ୍ୟୁସେକ ହେବ । ସେହିପରି ହୀରାକୁଦ ଜଳ ମୁଣ୍ଡୁଳିରେ ପହଞ୍ଚିବାକୁ 36 ଘଣ୍ଟା ଲାଗିବ । ତଳମୁଣ୍ଡରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଭଦ୍ରକର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକରେ ସ୍କୁଲ ଛୁଟି ଘୋଷଣା ହୋଇଛି । ସେହିପରି ଜଗତସିଂହପୁର ଜିଲ୍ଲାର ରଘୁନାଥପୁର, ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର 25ଟି ସ୍କୁଲ ଛୁଟି ଘୋଷଣା କରାଯାଇଛି ।