
ଭୁବନେଶ୍ୱର (ଓଡ଼ିଶା ଟୁଡେ): ଋଷିକୁଲ୍ୟା ଜିଲ୍ଲା ଦାବିରେ ଆଜି ଆସିକା ବନ୍ଦ ପାଳନ କରୁଛନ୍ତି ଆସିକା ଓକିଲ ସଂଘ । ଆସିକା ସମେତ କବିସୂର୍ଯ୍ୟନଗର, ପୋଲସରା, ସାନଖେମୁଣ୍ଡି, ବେଗୁନିଆପଡ଼ା, ଧରାକୋଟ ଏବଂ ଶେରଗଡ଼କୁ ନେଇ ପୂର୍ବରୁ ଜିଲ୍ଲା ଦାବି ହେଉଥିବା ବେଳେ ଏବେ ହିଞ୍ଜିଳିକାଟୁ ବ୍ଲକ କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ବିଭିନ୍ନ ଦାବି ନେଇ ଜିଲ୍ଲା ଆନ୍ଦୋଳନ ମୁଣ୍ଡ ଟେକି ଥିବା ବେଳେ ପ୍ରସ୍ତାବିତ ଜିଲ୍ଲା ନକ୍ସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ୮ ଟି ବ୍ଲକ କୁ ନେଇ ଯଦି ଆଗକୁ ଜିଲ୍ଲା ଗଠନ ହୁଏ, ତେବେ ଭଞ୍ଜନଗର, ସୋରଡ଼ା, ବୁଗୁଡ଼ା, ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ ବ୍ଲକ୍ ଆଦି ୫ ଟି ବ୍ଲକ୍ ବର୍ତ୍ତମାନର ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଯିବ। ଯାହାକି ଆଉ ଗଞ୍ଜାମ ଜିଲ୍ଲା ହୋଇ ରହିବ ନାହିଁ। ଉକ୍ତ ୫ଟି ବ୍ଲକ୍ କୁ ନେଇ ନୂଆଁ ଜିଲ୍ଲା ଗଠନ ଆଡ଼କୁ ଅଗ୍ରସର ହେବ ନା ନୟାଗଡ଼, କନ୍ଧମାଳରେ ମିଶିଯିବ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ ଉଠାଇଛନ୍ତି। ଭଞ୍ଜନଗର ସହ ଥିବା ୫ ଟି ବ୍ଲକ୍ ଆୟତନ ଦୃଷ୍ଟିରୁ ପ୍ରସ୍ତାବିତ ଋଷିକୁଲ୍ୟା ଜିଲ୍ଲା ଆୟତନ ଠାରୁ ମଧ୍ୟ ଅଧିକ ।
ପ୍ରକାଶ ଥାଉ କି ଦୀର୍ଘ ଦଶନ୍ଧି ଧରି ଭଞ୍ଜନଗର, ବୁଗୁଡ଼ା, ଜଗନ୍ନାଥ ପ୍ରସାଦ, ସୋରଡ଼ା, ବେଲଗୁଣ୍ଠା, ଧରାକୋଟ, ଶେରଗଡ଼ ଓ ଆସିକା ଆଦି ୮ଟି ବ୍ଲକ୍ କୁ ନେଇ ଘୁମୁସର ଜିଲ୍ଲା ଦାବି ହୋଇ ଆସୁଛି। ଭଂଜନଗରରେ ଉପଜିଲ୍ଲାପାଳଙ୍କ ଅଫିସ ସହ ବାଣିଜ୍ୟ, ଦ୍ରବ୍ୟ ଏବଂ ସେବା କର (CT and GST) ସର୍କଲ ଅଫିସ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଥିବାରୁ ଏହି ୮ ଟି ବ୍ଲକ୍ ଭଞ୍ଜନଗର ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ଆସିକା ଖମ୍ବେଶ୍ୱରୀ ପାଟଣା ରେ ଥିବା ବାଣିଜ୍ୟ, ଦ୍ରବ୍ୟ ଏବଂ ସେବା କର ଅଫିସ ଭଞ୍ଜନଗର ସର୍କଲ ଅଫିସ ଅଧୀନରେ ରହିଛି। ଯେହେତୁ ପୂର୍ବରୁ ଉପଖଣ୍ଡ ମାନ୍ୟତା ପାଇସାରିଛି, ତେଣୁ ଭଞ୍ଜନଗର କୁ ଜିଲ୍ଲା ମୁଖ୍ୟାଳୟ କରିବାକୁ ଘୁମୁସର ଜିଲ୍ଲା ଗଠନର ସଦସ୍ୟ ମାନେ ଯୁକ୍ତି ଦର୍ଶାଇଛନ୍ତି। ଆହୁରି ମଧ୍ୟ ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଋଷିକୁଲ୍ୟା- ବଡ଼ନଦୀ ବନ୍ୟା ହେଲେ ଆସିକା ସହର ବୁଡି ଯାଉଛି, ଯଦି ଆସିକା ଜିଲ୍ଲା ମୁଖ୍ୟାଳୟ ହୁଏ ସେତେବେଳେ ସହରରେ ଥିବା ସରକାରୀ ଅଫିସ ବେସରକାରୀ ଅଫିସକୁ କିଭଳି ଥଇଥାନ କରାଯିବ? ଜିଲ୍ଲା ମୁଖ୍ୟାଳୟ ରୁ ରିଲିଫ କାର୍ଯ୍ୟ କିପରି କରାଯିବ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ସୀମାବର୍ତ୍ତି ଗ୍ରାମ ଗୁଡ଼ିକରୁ ବ୍ରହ୍ମପୁର, ଛତ୍ରପୁର ବହୁ ଦୂରରେ ଥିବାରୁ ଉପଖଣ୍ଡ କୁ ଜିଲ୍ଲା ଘୋଷଣା ଦାବି ହେଉଛି, ଏହି ଅସୁବିଧା ଆସିକା କ୍ଷେତ୍ରରେ ନାହିଁ ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି ।