
ଭୁବନେଶ୍ୱର (ଓଡ଼ିଶା ଟୁଡେ): ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପରିବାର ସଦସ୍ୟଙ୍କ ଖୁବଶୀଘ୍ର ଘରବାହୁଡ଼ା ହେବ । ସେ ନିଜ ପୁରୁଣା ଦଳ କଂଗ୍ରେସକୁ ଫେରିବେ । ଶ୍ରୀ ଗମାଙ୍ଗଙ୍କ ସମେତ ତାଙ୍କ ପୁଅ ଶିଶିର ଗମାଙ୍ଗ ଓ ପତ୍ନୀ ହେମା ଗମାଙ୍ଗ ମଧ୍ୟ କଂଗ୍ରେସରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଏନେଇ ନୂଆଦିଲ୍ଲୀରେ ପ୍ରାରମ୍ଭିକ ପର୍ୟ୍ୟାୟ ଆଲୋଚନା ଶେଷ ହୋଇଛି ।
ଏ ସମ୍ପର୍କରେ ଶ୍ରୀ ଗମାଙ୍ଗଙ୍କ ପୁଅ ଶିଶିର କହିଛନ୍ତି ଯେ, ନୂଆଦିଲ୍ଲୀରେ ପ୍ରାୟ ଏକ ଘଣ୍ଟା ଧରି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାରଙ୍କ ସହ ଆଲୋଚନା କରିଥିଲେ । କଥାବାର୍ତ୍ତା ଫଳପ୍ରଦ ରହିଛି । ତାଙ୍କ ପିତା ଓ ମା’ ଉଭୟ କଂଗ୍ରେସରେ ସାମିଲ ହେବେ । ଦଳକୁ ଫେରିବା ନେଇ ତାଙ୍କ ପରିବାର ପକ୍ଷରୁ କୌଣସି ପୂର୍ବ-ସର୍ତ୍ତ ରଖାଯାଇନି ବୋଲି ସେ ସ୍ପଷ୍ଟ କରିବା ସହ ଆଜିର ଆଲୋଚନା କେବଳ ଚେଲାକୁମାର ଓ ତାଙ୍କ ମଧ୍ୟରେ ହୋଇଛି । ଉଭୟ ପିତା-ମାତାଙ୍କ ସମ୍ମତିରେ ସେ ଏହି ଆଲୋଚନା କରିଛନ୍ତି । ତାଙ୍କ ପିତା ଏବେ ରାୟଗଡ଼ାରେ ଅଛନ୍ତି ବୋଲି ଶିଶିର କହିଛନ୍ତି ।
ଭାରତ ରାଷ୍ଟ୍ର ସମିତି(ବିଆରଏସ) ଛାଡ଼ିବା ସମ୍ପର୍କରେ ସେ କହିଛନ୍ତି ଯେ, ଦଳ ଓଡ଼ିଶାରେ ନିଜର ରାଜନୀତିକ ଗତିବିଧି କରିବାକୁ ଚାହୁଁନି । ତେଣୁ ଯେଉଁମାନେ ବିଆରଏସରେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଗତ ୨-୪ଦିନ ପୂର୍ବରୁ ସମୂହ ଇସ୍ତଫା ଦେଇ ନିଜସ୍ୱ ଦଳ ଗଢ଼ି ସାରିଛନ୍ତି । ତେଣୁ ଟେକନିକାଲି ଦେଖିଲେ ଓଡ଼ିଶାରେ ବିଆରଏସ୍ ନାହିଁ । ତେଣୁ ଇସ୍ତଫା ଦେବା-ନଦେବାର କିଛି ଯଥାର୍ଥତା ନାହିଁ ।
ପ୍ରକାଶ ଥାଉକି ଶ୍ରୀ ଗିରିଧର ଗମାଙ୍ଗ ୨୦୧୫ ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ଏବଂ ଜାନୁଆରୀ ୨୦୨୩ରେ ପୁଣି ବିଜେପି ଛାଡି ବିଆରଏସ୍ ରେ ଯୋଗ ଦେଇଥିଲେ ।