କନ୍ଧମାଳ ସୀମାରେ ‘ସ୍ବାଗତଂ ଘୁମୁସର ଜିଲ୍ଲା’ ବୋର୍ଡ ମାରିଲା ଘୁମୁସର ବାହିନୀ

ଭଞ୍ଜନଗର (ଓଡ଼ିଶା ଟୁଡେ) ୧୭/୦୮/୨୩: ଘୁମୁସର ଜିଲ୍ଲା ଘୋଷଣା ଦାବି ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ପ୍ରତିଦିନ ଘୁମୁସର ଜିଲ୍ଲା ଗଠନ ଦିଗରେ ନୂଆଁ ନୂଆଁ ପଦକ୍ଷେପ ନିଆ ଯାଉଛି। ଘୁମୁସର ବାହିନୀ ପକ୍ଷରୁ ଆଜି ସମାଜସେବୀ ଓ ସାମ୍ବାଦିକ ନଚିକେତା ପ୍ରଧାନ ସମେତ ଅନ୍ୟ କିଛି ସଦସ୍ୟ କନ୍ଧମାଳ ଓ ଘୁମୁସର ସୀମାର ଦୁର୍ଗାପ୍ରସାଦ ଠାରେ ‘ସ୍ବାଗତଂ ଘୁମୁସର ଜିଲ୍ଲା’ ବୋର୍ଡ ମାରିଛନ୍ତି। କନ୍ଧମାଳ ପଟୁ ଆସୁଥିବା ଯାତ୍ରୀ ମାନେ ‘ସ୍ବାଗତଂ ଘୁମୁସର ଜିଲ୍ଲା’ ବୋଲି ପଢ଼ିବେ। ଘୁମୁସର ପଟୁ ଯାଉଥିବା ଯାତ୍ରୀ ମାନେ ‘ଶୁଭେଚ୍ଛା ସହ ବିଦାୟ ଘୁମୁସର ଜିଲ୍ଲା’ ବୋଲି ପଢ଼ିବେ। ତଳେ ଘୁମୁସର ଜିଲ୍ଲା ଆମର ଦାବି ବୋଲି ମଧ୍ୟ ଲେଖାଯାଇଛି । ଘୁମୁସର ବାହିନୀର ଏହି ଅଭିନବ ପ୍ରୟାସକୁ ଜନସାଧାରଣ ସ୍ବାଗତ କରିଛନ୍ତି। ଆଗାମୀ ଦିନରେ ଘୁମୁସର ବାହିନୀ ଘୁମୁସର ଜିଲ୍ଲାର ବିଭିନ୍ନ ପ୍ରବେଶ ପଥରେ ଏହିପରି ବୋର୍ଡ ମାରିବ ବୋଲି ଜଣା ଯାଇଛି।

ଏହା ପୂର୍ବରୁ ଅଗଷ୍ଟ ୧୪ ତାରିଖରେ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏବଂ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଷ୍ଟାଡିୟମ୍ ନିକଟରେ ମୁଖ୍ୟମନ୍ତ୍ରୀ ଓ ୫- ଟି ସଚିବଙ୍କ ଉଦ୍ଧେଶ୍ୟରେ ଘୁମୁସର ବାହିନୀ ପକ୍ଷରୁ ଦସ୍ତଖତ ଓ ଚିଠି ଲେଖା ଅଭିଯାନ ଆରମ୍ଭ ହୋଇଥିଲା।

ପ୍ରକାଶ ଥାଉ କି ଅତୀତରେ କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରି ସମେତ କିଛି ଅଞ୍ଚଳ ବର୍ତ୍ତମାନର ଭଞ୍ଜନଗର ଉପଖଣ୍ଡର ଅଞ୍ଚଳ ସହ ମିଶି ଅତୀତରେ ଘୁମୁସର ଗଡ ଭାବେ ପରିଚିତ ଥିଲା। ବର୍ତ୍ତମାନର କୁଲାଡ ଭଞ୍ଜ ରାଜାଙ୍କ ରାଜଧାନୀ ଥିବା ବେଳେ ଏହି ସମସ୍ତ ଅଞ୍ଚଳ ଘୁମୁସର ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା। ଘୁମୁସର ସମ୍ପର୍କିତ ବିଭିନ୍ନ ପୁସ୍ତକ ଯାହା ରାଜ୍ୟର ବିଭିନ୍ନ ସଂଗ୍ରହାଳୟ ଓ ପାଠାଗାର ଉପଲବ୍ଧ, ସେଥିରୁ ଘୁମୁସର ବିଦ୍ରୋହର ସୂତ୍ରଧର ଦୋରା ବିଷୋୟୀ ଓ ଚକରା ବିଷୋୟୀଙ୍କ ଅଦମ୍ୟ ସାହସ, ଭଞ୍ଜ ରାଜତ୍ୱର ଇତିହାସ ସମେତ ପୁରୁଣା ଭଞ୍ଜ ଗଡର ଭୂଖଣ୍ଡ ସଂପର୍କରେ ସୂଚନା ମିଳେ।

Leave a Reply

Your email address will not be published. Required fields are marked *