
ଭୁବନେଶ୍ୱର (ଓଡିଶା ଟୁଡେ) ୨୩/୦୮/୨୩: ସେପ୍ଟେମ୍ବର ୧୦ ତାରିଖରେ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଦଶ ଦିନିଆ ସଂକ୍ଷିପ୍ତ ଅଧିବେଶନ ପରେ ୨୦ ତାରିଖ ସୁଦ୍ଧା ଧାର୍ଯ୍ୟ ସମୟ ପୂର୍ବରୁ ଷୋଡ଼ଶ ବିଧାନସଭା ଭଙ୍ଗ କରିବାକୁ ସରକାର ପ୍ରସ୍ତାବ ଦେବେ । ଓଡ଼ିଶାରେ ଆଗୁଆ ନିର୍ବଚାନ କରାଇବାକୁ ଏଭଳି ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ଏ ସଂପର୍କରେ ଆସନ୍ତା ଦୁଇ ତିନି ଦିନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୂଡ଼ାନ୍ତ ନିଷ୍ପତ୍ତି ନେବା ସମ୍ଭାବନା ଅଛି ।
ଏପରି ଯୋଜନା ପଛରେ ଉଦ୍ଦେଶ୍ୟ ହେଉଛି, ଡିସେମ୍ବରରେ ହେବାକୁ ଥିବା ୫ ରାଜ୍ୟ ନିର୍ବାଚନ ସହ ଯେମିତି ଘୋଷଣା ହେବ ଓଡ଼ିଶା ଭୋଟ ତାରିଖ । ଲୋକସଭା ନିର୍ବାଚନର ୪ ମାସ ପୂର୍ବରୁ ଓଡ଼ିଶା ବିଧାନସଭା ଭୋଟ ସାରିବାକୁ ବିଜେଡି ସରକାର ମନସ୍ଥ କରିଛନ୍ତି । ଷୋଡ଼ଶ ବିଧାନସଭାର କାର୍ଯ୍ୟକାଳ ମେ ୩୦ ତାରିଖରେ ଶେଷ ହେବ । ତାର ପ୍ରାୟ ଆଠ ମାସ ପୂର୍ବରୁ ବିଧାନସଭା ଭଙ୍ଗ କରିବାକୁ ସୁପାରିସ ହୋଇପାରେ ।
ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହରେ ନିର୍ବାଚନ କମିଶନ ୫ ରାଜ୍ୟର ନିର୍ବାଚନ ପାଇଁ ବିଜ୍ଞପ୍ତ ଜାରି କରିବେ । ଏଣୁ ଓଡ଼ିଶା ବିଧାନସଭା ଭଙ୍ଗ ଡେରି ହେଲେ ୫ ରାଜ୍ୟ ସହ ଓଡ଼ିଶା ଭୋଟ ବିଜ୍ଞପ୍ତି ପ୍ରକାଶ ହୋଇ ପାରିବ ନାହିଁ । ବିଜେଡି ଆକଳନ କରିଛି, ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ଭୋଟ ହେଲେ ଅତି କମ୍ରେ ଦଳ ୧୨୫ ଆସନ ଦଖଲ କରିବ । ଦୁଇଟି ସର୍ଭେରୁ ଏପରି ଆଭାସ ମିଳିଛି ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।
ଲୋକସଭା ନିର୍ବାଚନ ସହ ବିଧାନସଭା ଭୋଟ ହେଲେ ଫଳାଫଳ ଭିନ୍ନ ହୋଇପାରେ ବୋଲି ବିଜେଡି ଆଶଙ୍କା କରୁଛି । ଯେଉଁଥିପାଇଁ ଆଗୁଆ ଭୋଟ ପାଇଁ ଦଳ ପ୍ରସ୍ତୁତ ହେଉଛି । ଏଥିପାଇଁ କେନ୍ଦ୍ର ରାଜି ଥିବା କୁହାଯାଉଛି ।
ଯଦି ଯୋଜନା ଠିକ୍ଠାକ୍ ରୁହେ ତେବେ ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ଏବଂ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବେ ବୋଲି ବିଜେଡି ଅଙ୍କ କଷିଛି । ଅଧିବେଶନର ମୁଖ୍ୟ କାର୍ଯ୍ୟ ରହିବ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ପ୍ରସ୍ତାବକୁ ପାରିତ କରାଇବା ।
ସ୍ୱାଭାବିକ ଭାବେ ଶୀତ ଅଧିବେଶନରେ ଅତିରିକ୍ତ ବଜେଟ୍ ଆଗତ କରାଯାଇଥାଏ । କିନ୍ତୁ ଏଥର ମୌସୁମୀ ଅଧିବେଶନରେ ଆଗତ କରାଯିବ । ମିଳିଥିବା ସୂଚନା ଅନୁସାରେ ପାଖାପାଖି ୨୫ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପ୍ରସ୍ତାବ ପ୍ରସ୍ତୁତ କରି ସାରିଛି ଅର୍ଥ ବିଭାଗ । ବିଭିନ୍ନ ଅତିରିକ୍ତ ବ୍ୟୟ ବରାଦ ପାଇଁ (ଯେଉଁଥିପାଇଁ ମୂଳ ବଜେଟ୍ରେ ଖର୍ଚ୍ଚ ବ୍ୟବସ୍ଥା ନ ଥିଲା) ଏହି ଅର୍ଥ ବିନିଯୋଗ ହେବ । ୨୦୧୮ରେ ତେଲଙ୍ଗାନା ସରକାର ସେପ୍ଟେମ୍ବର ୬ ତାରିଖରେ ବିଧାନସଭା ଭଙ୍ଗ କରିଥିଲେ ଧାର୍ଯ୍ୟ ସମୟ ପୂର୍ବରୁ । ମାସେ ପରେ ତେଲଙ୍ଗାନା ଭୋଟ ପାଇଁ ଅନ୍ୟ ୪ ରାଜ୍ୟ ସହ ବିଜ୍ଞପ୍ତି ପ୍ରକାଶ କରିଥିଲେ ନିର୍ବାଚନ କମିଶନ ।
ଏଣୁ ଅତି କମ୍ରେ ୧୫ ଦିନ ପୂର୍ବରୁ ବିଧାନସଭା ଭଙ୍ଗ ନହେଲେ ନିର୍ବାଚନ କମିଶନ ଅନ୍ୟ ରାଜ୍ୟ ସହ ମିଶାଇ ଓଡ଼ିଶା ଭୋଟ ପାଇଁ ବିଜ୍ଞପ୍ତି ପ୍ରକାଶ କରି ନ ପାରନ୍ତି । ହିସାବ କରାଯାଇଛି, ନଭେମ୍ବର ତୃତୀୟ ସପ୍ତାହ ଠାରୁ ଡିସେମ୍ବର ପ୍ରଥମ ସପ୍ତାହ ଭିତରେ ଭୋଟ ସରିବ । ଦ୍ୱିତୀୟ ସପ୍ତାହରେ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ନୂଅ ବର୍ଷ ପୂର୍ବରୁ ନବୀନ ପୁଣି ଥେରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିବେ । ନୂଆ ଜନମତ ନେଇ ଏପ୍ରିଲରେ ଓହ୍ଲାଇବେ ଲୋକସଭା ଭୋଟକୁ ।
ବିଜେପି ଆକଳନ କରୁଛି, ଏକା ସାଙ୍ଗରେ ନ ହୋଇ କେବଳ ଲୋକସଭା ଭୋଟ୍ ହେଲେ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିବ । ମୋଦି ହାୱା କାମ କରିବ । ଲୋକସଭା ପାଇଁ ଆଞ୍ଚଳିକ ଦଳ ତୁଳନାରେ ବିଜେପିକୁ ଭୋଟ ଦେବାକୁ ପସନ୍ଦ କରିବେ ମତଦାତା । ଯେଉଁଥିାପଇଁ ହୁଏତ ଓଡ଼ିଶାରେ ଆଗୁଆ ଭୋଟ ପାଇଁ କେନ୍ଦ୍ର ସହମତ ହୋଇଥିବା କୁହାଯାଉଛି । ଏପଟେ ଆଗୁଆ ନିର୍ବାଚନ ପାଇଁ ବିଜେଡି ପୂରା ଦମ୍ରେ ଲାଗିପଡ଼ିଛି । ସରକାରୀ କଳ ଠାରୁ ଆରମ୍ଭ କରି ଦଳୀୟ ସଙ୍ଗଠନ ଦିନରାତି ଏକ କରି ଦେଇଛି ଧାର୍ଯ୍ୟ ସମୟ ପୂର୍ବରୁ ସବୁ ଅଡ଼ୁଆକୁ ସଜାଡ଼ିବାକୁ । ପ୍ରାର୍ଥୀ ଚୟନ କାମ ପ୍ରାୟତଃ ସରିଛି ବୋଲି ଆଲୋଚନା ହେଉଛି ।
୨୦୦୯ରେ ଅନୁରୂପ ଭାବେ ଧାର୍ଯ୍ୟ ସମୟର ପ୍ରାୟ ୧ ବର୍ଷ ପୂର୍ବରୁ ଭାଙ୍ଗି ଦିଆଯାଇଥିଲା ବିଧାନସଭା । ଉଦ୍ଦେଶ୍ୟ ଥିଲା, ଲୋକସଭା ନିର୍ବାଚନ ସହ ଏକା ସାଙ୍ଗରେ ବିଧାନସଭା ଭୋଟ କରାଇବା । ବିଜେଡି ଅଙ୍କ କାମ କରିଥିଲା ସେତେବେଳେ । ବିଜେପି ସହ ମେଣ୍ଟ ଭାଙ୍ଗି ଛୋଟ ଦଳ ସହ ମିଶି ଲଢ଼ିଥିଲା ବିଜେଡି । ୧୦୩ ଆସନ ଦଖଲ କରିଥିଲା ବିଜେଡି । ବିଜେପି ସଂଖ୍ୟା ୩୨ରୁ ଖସିଥିଲା ୬କୁ । କଂଗ୍ରେସ ୨୭ ଆସନରେ ବିଜୟୀ ହୋଇଥିଲା ।ଏଥର ଓଲଟା ଖେଳ । ଏକାସାଙ୍ଗରେ ନୁହେଁ, ଆଗୁଆ ଭୋଟ ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛି ବିଜେଡି । ଦଳ ଆଶା କରିଛି, ଆହୁରି ବହୁମତରେ ଜିତିବେ ନବୀନ ।