
ଭଞ୍ଜନଗର (ଓଡ଼ିଶା ଟୁଡେ) ୩୧।୦୮ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ସାରିଆପଲ୍ଲୀ ଗାଁ ନିକଟ ତୋଟାରେ ବଜ୍ରପାତ ଯୋଗୁଁ ଜଣେ ଗାଈଆଳଙ୍କ ୧୦ଟି ଗାଈର ମୃତ୍ୟୁ ଘଟିଛି । ଗୋଟିଏ ବାଛୁରୀ ଗୁରୁତର ହୋଇଛି । ମୃତ ଗାଈଗୁଡିକ ବଡ଼ପଡା ପଞ୍ଚାୟତ ଅନ୍ତର୍ଗତ ସିରିକୋଇ ଗ୍ରାମର ଜୟ ଗୌଡଙ୍କର ଅଟେ । ସେ ନିଜର ପ୍ରାୟ ୫୦ ଗାଈ ଗୋରୁ ଧରି ସିରିକୋଇ ଗ୍ରାମ ଅପରପାର୍ଶ୍ବରେ ବଡ଼ ନଦୀ ପାର ହୋଇ ସାରିଆପଲ୍ଲୀ ତୋଟା ମାଳରେ ଗାଈ ଚରାଉଥିଲେ । ଆଜି ଅପରାହ୍ନ ୪ଟା ବେଳେ ଘଡଘଡି ସହ ବର୍ଷା ହୋଇଥିଲା । ଜୟ ନିଜ ଗାଈ ଗୋରୁଙ୍କ ସହ ଏକ ଗଛ ମୂଳରେ ଛିଡ଼ା ହୋଇଥିବା ବେଳେ ବଜ୍ରପାତ ହୋଇଥିଲା । ୧୦ଟି ଗାଈ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ । ବେଲଗୁଣ୍ଠା ବ୍ଲକ୍ ପଶୁ ଚିକିତ୍ସାଧିକାରୀ ଡା. କାର୍ତ୍ତିକ ସାହୁଙ୍କ ନିର୍ଦ୍ଦେଶରେ ଗାଙ୍ଗପୁର ପଶୁ ଚିକିତ୍ସାଧିକାରୀ ଡା. ଅବିନାଶ ସାହୁ ଉକ୍ତ ଗ୍ରାମକୁ ଯାଇ ମୃତ ଗାଈଗୋରୁଙ୍କ ଶବ ବ୍ୟବଚ୍ଛେଦ କରାଇ ପୋତି ଦେଇଥିଲେ । ସରକାରୀ ଗାଇଡଲାଇନ୍ ପ୍ରକାରେ ମୃତ ଗାଈଗୋରୁଙ୍କ ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବେଲଗୁଣ୍ଠା ତହସିଲଦାର ପ୍ରଭାକର କୁଜୁରୁ କହିଛନ୍ତି ।