
ଇସ୍ଲାମାବାଦ (ଏଜେନ୍ସି) : ଶିଆ ମୌଲବୀଙ୍କ ଗିରଫକୁ ବିରୋଧ କରି ଦାବିରେ ପାକିସ୍ତାନ ଅଧିକୃତ ଗିଲ୍ଗିଟ ବାଲ୍ଟିସ୍ତାନରେ ତେଜିଲା ବଡ଼ ଆନ୍ଦୋଳନ। ପାକିସ୍ତାନ ଧର୍ମନିନ୍ଦା(ବ୍ଲାସ୍ଫେମି) ନିରୋଧକ ଆଇନ ବଳରେ ମୌଲବୀଙ୍କୁ ଗିରଫ କରା ଯାଇଥିବାରୁ ଗିଲ୍ଗିଟ୍-ବାଲ୍ଟିସ୍ତାନର ଶିଆ ସମ୍ପ୍ରଦାୟ ଏହାକୁ ବିରୋଧ କରି ଭାରତରେ ମିଶିବାକୁ ପାକିସ୍ତାନକୁ ଧମକ ଦେଇଛନ୍ତି ।
ଏହି ଆନ୍ଦୋଳନରେ ‘ଚାଲ ଚାଲ କାର୍ଗିଲ ଚାଲ’ ଓ ଆମେ ଭାରତରେ ମିଶିବୁ ବୋଲି ସ୍ଲୋଗାନ ମଧ୍ୟ ଶୁଣିବାକୁ ମିଳିଛି। ଗିଲଗିଟର ସ୍ଥାନୀୟ ନେତାମାନେ ପାକିସ୍ତାନ ପ୍ରଶାସନକୁ ଗୃହଯୁଦ୍ଧର ଚେତାବନୀ ଦେଇଛନ୍ତି। କେତେକ ନେତା ଭାରତ ସହ ମିଶିଯିବାକୁ ମଧ୍ୟ ଦାବି କରିଛନ୍ତି ।
ସୂଚନା ଅନୁସାରେ, ଏକ ଧାର୍ମିକ ସମାବେଶ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ଶିଆ ଧର୍ମଗୁରୁ ଆଗା ବାକୀର ଅଲ-ହୁସେନି ଗିରଫ ହୋଇଛନ୍ତି । ସ୍କାର୍ଡୁରେ ଉଲେମା କାଉନସିଲର ଏକ ବୈଠକ ପାକିସ୍ତାନ ଧର୍ମନିନ୍ଦା ଆଇନକୁ ଆହୁରି କଡ଼ା କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଆଇନ୍ରେ ଶିଆ ମୁସ୍ଲିମ୍ଙ୍କୁ ଟାର୍ଗେଟ୍ କରାଯାଇଥିବା ଚର୍ଚ୍ଚା ହୋଇଥିଲା । ଯାହାକୁ ନେଇ ଶିଆ ଧର୍ମଗୁରୁ ମନ୍ତବ୍ୟ ଦେବା ପରେ ତାଙ୍କୁ ଗିରଫ କରିବାକୁ ସୁନ୍ନୀମାନେ ତୀବ୍ର ଆନ୍ଦୋଳ କରିଥିଲେ। ରାସ୍ତା ଅବରୋଧ କରିଥିଲେ ।
ପାକିସ୍ତାନରେ ସିଆ ସୁନ୍ନୀ ଉଭୟ ମୁସ୍ଲିମ ମିଶି ରହୁଛନ୍ତି। ଦୁଇ ବର୍ଗ ଇସ୍ଲାମର ଶିଦ୍ଧାନ୍ତକୁ ମାନୁଥିବା ବେଳେ ଉଭୟଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ରହିଛି । ସୁନ୍ନି ବର୍ଗ ଚତୁର୍ଥ ଖଲିଫ ଅଲ୍ଲୀଙ୍କୁ ବିରୋଧ କରୁଛନ୍ତି। ହେଲେ ଶିଆ ଚତୁର୍ଥ ଖଲିଫ ଅଲ୍ଲୀଙ୍କୁ ମାନୁଛନ୍ତି । ଏଣୁ ଦୁଇ ବର୍ଗ ମଧ୍ୟରେ ବହୁ ପୁରୁଣା ଯୁଗରୁ ମତାନ୍ତର ଲାଗି ରହିଛି। ଯାହା ଅନେକ ସମୟରେ ଗୃହଯୁଦ୍ଧର କାରଣ ବି ହୋଇଛି।
ତେବେ ପାକିସ୍ତାନରେ ସୁନ୍ନୀଙ୍କର ସଂଖ୍ୟା ଅଧିକ ରହିଛି। ହେଲେ ଗିଲ୍ଗିଟ ବାଲ୍ଟିସ୍ତାନରେ ଶିଆଙ୍କ ସଂଖ୍ୟା ଅଧିକ ରହିଛି । ହେଲେ ଜେନେରାଲ ଜିଆ-ଉଲ୍ ହକଙ୍କ ଶାସନରୁ ଆରମ୍ଭ କରି ପାକିସ୍ତାନୀ ସରକାର ସୁନ୍ନିମାନଙ୍କୁ ଏହି ଅଞ୍ଚଳକୁ ଆଣି ଗିଲଗିଟ୍-ବାଲ୍ଟିସ୍ତାନର ଜନସଂଖ୍ୟା ଗଠନକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛନ୍ତି। ଏଥିପାଇଁ ଏହି ଅଞ୍ଚଳରେ ଶିଆ ଓ ସୁନ୍ନୀଙ୍କ ମଧ୍ୟରେ ସବୁବେଳେ ବିବାଦ ଲାଗି ରହିଛି । ଗିଲ୍ଗିଟ୍-ବାଲ୍ଟିସ୍ତାନ ଅଞ୍ଚଳ ପ୍ରଶାସନିକ ଭାବରେ ତିନୋଟି ବିଭାଗରେ ବିଭକ୍ତ। ପ୍ରଥମ ବାଲ୍ଟିସ୍ତାନ, ଡାଇମର୍ ଏବଂ ଗିଲ୍ଗିଟ୍। ମୁଖ୍ୟ ପ୍ରଶାସନିକ କେନ୍ଦ୍ରଗୁଡ଼ିକ ହେଉଛି ଗିଲ୍ଗିଟ୍ ଏବଂ ସ୍କାର୍ଡୁ ସହର ।
ଏହି ଆନ୍ଦୋଳନରେ ପାକିସ୍ତାନ ବିରୋଧୀ ନାରା ସହିତ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କ ବିରୋଧରେ ନାରା ଦେଇଥିଲେ । ଯଦି ରାସ୍ତା ଅବରୋଧ ହଟିବ ନାହିଁ ଓ ହୁସେନୀଙ୍କୁ ଛଡ଼ାଯିବ ନାହିଁ ତେବେ ଲୋକେ ପାକିସ୍ତାନର ସିନ୍ଧ ଓ ପାକିସ୍ତାନ ପଞ୍ଜାବକୁ ନ ଯାଇ ଭାରତର କାର୍ଗିଲକୁ ଚାଲିଯିବେ ବୋଲି ନାରା ଲଗାଇଥିଲେ । ଆବଶ୍ୟକ ପଡ଼ିଲେ ଗୃହଯୁଦ୍ଧ ହେବ ବୋଲି ମଧ୍ୟ ଧମକାଇଥିଲେ ।
ଅନ୍ୟପଟେ ପାକିସ୍ତାନରେ ହୋଇଥିବା ଧର୍ମନିନ୍ଦା ନିୟମ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍ କରି କରାଯାଇଛି ବୋଲି ଦାବି କରାଯାଉଛି । ଯେଉଁମାନେ ପ୍ରପେଟ୍ଙ୍କ ବିରୋଧରେ ମନ୍ତବ୍ୟ ଦେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିୟମରେ ରହିଛି ।