ଓଡ଼ିଶା ରାଜନୀତିରୁ ହଜିଗଲେ ସୂର୍ଯ୍ୟ; ଘରୋଇ ହସ୍ପିଟାଲରେ ସୂର୍ଯ୍ୟ ପାତ୍ର ଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ଟୁଡେ): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ବରିଷ୍ଠ ରାଜନେତା ତଥା ବିଧାନସଭାର ପୂର୍ବତନ ବାଚସ୍ପତିଙ୍କ ପରଲୋକ ଘଟିଛି । ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି ।

ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ପାତ୍ର ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।

ଖବର ମୁତାବକ, ଆଜି ସନ୍ଧ୍ୟା ୭ଟା ୩୧ ମିନିଟରେ ଶ୍ରୀ ପାତ୍ରଙ୍କର ପରଲୋକ ଘଟିଛି । ଶାରୀରିକ ଅସୁସ୍ଥତା କାରଣରୁ କିଛିଦିନ ହେଲା ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ । ସେ ବିଜେଡି ଟିକେଟରେ ବିଧାୟକ ଭାବେ ଏକାଧିକ ଥର ନିର୍ବାଚିତ ହେବା ସହ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସାମିଲ ହୋଇଥିଲେ ।

ଶ୍ରୀ ପାତ୍ର ୭ ଥର ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ । ସୂର୍ଯ୍ୟ ଏକଦା ବିଜେଡିର ଜଣେ ଆଗଧାଡ଼ିର ଟାଣୁଆ ନେତା ଥିଲେ । ତାଙ୍କର ରାଜନୈତିକ କ୍ଷେତ୍ରରେ ବହୁ ବର୍ଷର ଅଭିଜ୍ଞତା ରହିଥିଲା । ସୂର୍ଯ୍ୟଙ୍କ ବିୟୋଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଭିନ୍ନ ରାଜନୈତିକ ଦଳ ବହୁ ବରିଷ୍ଠ ନେତା, କର୍ମକର୍ତ୍ତା, ପ୍ରଶଂସକମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *