କୁଶଳୀ ରାଷ୍ଟ୍ରନୀତିଜ୍ଞ ଓ ଆଦର୍ଶ ଶିକ୍ଷକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ

ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଆମେ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରିଥାଉ । ଜଣେ ଦାର୍ଶିନିକ ତଥା ଜଣେ କୁଶଳୀ ରାଷ୍ଟ୍ରନୀତିଜ୍ଞ ଓ ଜଣେ ଆଦର୍ଶ ଶିକ୍ଷକ ଭାବରେ ରାଧାକ୍ରିଷ୍ଣନ ବେଶ୍ ପରଚିତ ।

ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଭାରତର ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ଓ ବନ୍ଧୁମାନେ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ । ଏହାକୁ ନେଇ ସେ କହିଥିଲେ, “ତୁମେମାନେ ମୋ ଜନ୍ମଦିନ ପାଳନ କରିବା ଅପେକ୍ଷା, ଯଦି ଏହି ଦିନ ଗୁରୁମାନଙ୍କ ଦିବସ ଭାବରେ ପାଳନ କରିବ ତାହା ମୋ ପାଇଁ ସମ୍ମାନର ପରିଚୟ ହେବ ।”

ସେହିଦିନଠାରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବରେ ସାରାଦେଶରେ ପାଳନ ହୋଇଆସୁଛି । ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁ ମାଡ୍ରାସର ତିରୁତ୍ତାଣି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ତାଙ୍କ ପିତାଙ୍କ ନାମ ଥିଲା ସର୍ବପଲ୍ଲୀ ଭୀରାସ୍ୱାମୀ ଆଉ ମାତାଙ୍କ ନାମ ଥିଲା ସର୍ବପଲ୍ଲୀ ସୀତାମା । ତାଙ୍କର ବାଲ୍ୟଜୀବନ ମୁଖ୍ୟତଃ ତିରୁତ୍ତାଣିରେ କଟିଥିଲା । ତାଙ୍କ ପିତା ସ୍ଥାନୀୟ ଜମିଦାରଙ୍କ ପାଖରେ ଅଧସ୍ତନ କର୍ମଚାରୀ ଭାବରେ କାମ କରୁଥିଲେ। ତାଙ୍କର ପ୍ରାଥମିକ ଶିକ୍ଷା କେ.ଭି ହାଇସ୍କୁଲରେ ହୋଇଥିଲା।ଏହାପରେ ୧୮୯୬ ମସିହାରେ ସେ ତିରୁପତି ଚାଲିଆସିଥିଲେ ଓ ସେଠାରେ ନିଜର ଉଚ୍ଚଶିକ୍ଷା କରିଥିଲେ । ରାଧାକ୍ରିଷ୍ଣନ ଜଣେ ମେଧାବୀ ଛାତ୍ର ଥିଲେ। ୧୭ ବର୍ଷ ବୟସରେ ମାଡ୍ରାସର ଖ୍ରୀଷ୍ଟିୟାନ୍ କଲେଜରେ ନାମ ଲେଖାଇଥିଲେ। ସେଠାରୁ ସେ ୧୯୦୬ ମସିହାରେ ଗ୍ରାଜୁଏଟ୍ ହୋଇଥିଲେ ।

ଗ୍ରାଜୁଏଟ୍ ହେବାପରେ ଅଧ୍ୟାପକ ଭାବରେ କାମ କରିଥିଲେ । ୧୯୩୧ରୁ ୧୯୩୬ ମସିହା ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ରହିଥିଲେ। ପରବର୍ତ୍ତୀ ସମୟରେ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ରାଧାକ୍ରିଷ୍ଣନ୍ ରାଜନୀତିରେ ପ୍ରବେଶ କରିଥିଲେ। ଭାରତ ସ୍ୱାଧୀନ ହେବାପରେ ସେ ୟୁନେସ୍କୋରେ ଭାରତର ପ୍ରତିନିଧି ହୋଇଥିଲେ । ଏହାପରେ ସେ ସୋଭିଏତ୍ ସଂଘରେ ଭାରତର ଆମ୍ବାସାଡାର ନିଯୁକ୍ତ ହୋଇଥିଲେ। ୧୯୪୯ରୁ ୧୯୫୨ ମସିହା ମଧ୍ୟରେ ସେ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ମଧ୍ୟ ରହିଥିଲେ। ଏହାପରେ ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍। ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ପରେ ସେ ସ୍ୱାଧୀନ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ହୋଇଥିଲେ ।

୧୯୫୪ ମସିହାରେ ରାଧାକ୍ରିଷ୍ଣନ୍ଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା। ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ସାଜି ନ ଥାଏ। ଶିଖିବାରେ ନିଷ୍ଠା ରଖୁଥିବା ବ୍ୟକ୍ତି ହିଁ ଜଣେ ଯୋଗ୍ୟ ଗୁରୁ ହୋଇଥାନ୍ତି । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଭାଷାରେ ‘ ନିଜକୁ ଯେ ନିରନ୍ତର ଶିକ୍ଷା ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟ ଜଣେ’। ଗୁରୁ ଓ ରାସ୍ତା ଏକାପରି । ସେମାନେ ଗୋଟିଏ ଜାଗାରେ ଥିବେ, କିନ୍ତୁ ଆଗକୁ ବଢିବାକୁ ପ୍ରୋତ୍ସାହିତ କରିବେ। ଏହା ହିଁ ତ ଗୁରୁଙ୍କ ମହାନତା। ଛାତ୍ର-ଛାତ୍ରୀଙ୍କ ଏକ ସୁନ୍ଦର ଭବିଷ୍ୟତ ନ୍ୟସ୍ତ ଥାଏ ଗୁରୁଙ୍କ ଉପରେ। କଞ୍ଚାମାଟିର ପିତୁଳାକୁ ସେ ଦେବତା ରୂପେ ଗଢିବାକୁ ନିରନ୍ତର ପ୍ରୟାସ ଜାରି ରଖିଥାଆନ୍ତି ।

ବିନା ଗୁରୁରେ କେହି ବି ଜ୍ଞାନୀ ପଦବାଚ୍ୟ ହୋଇପାରି ନଥାଏ। ଗୁରୁ ହିଁ ପ୍ରେରଣାର ଉତ୍ସ। ଯେତେବେଳେ ଆମେ ଜନ୍ମ ନେଉ, ସର୍ବପ୍ରଥମେ ଆମେ ନିଜ ପିତାମାତାଙ୍କଠାରୁ ଜୀବନର ପ୍ରାରମ୍ଭିକ ଶିକ୍ଷା ମିଳେ । ପିତା-ମାତା ହେଉଛନ୍ତି ପ୍ରତ୍ୟେକଙ୍କ ଜୀବନର ପ୍ରଥମ ଗୁରୁ। ଶିଶୁଟି ଧରା ଛୁଇଁବା ପରେ ତାକୁ ତା ମାଆ କୋଳେଇ ନିଏ, ତାର ଅଳି-ଅର୍ଦ୍ଦଳି ସବୁ ସହେ। କେମିତି ଚାଲିବ, କେମିତି ଖାଇବ, କେମିତି କଥା କହିବ, କେମିତି ବସିବ ପରି ଅନେକ ଶିଷ୍ଟାଚାର କଥା, ସମାଜରେ ଅନୁରୂପ ବଞ୍ଚିବାର କଳା ଶିଖେଇଥାଆନ୍ତି ପିତା-ମାତା । ବ୍ୟବହାର, ଶୈଳୀ, ଶିଷ୍ଟାଚାର, ଭଦ୍ରାମୀ କଣ ତାହା ଉଭୟ ବାପା-ମାଆ ହିଁ ଶିଶୁଟିକୁ ଜଣାଇଥାଆନ୍ତି। ତେଣୁ ଉଭୟ ତାର ପ୍ରଥମ ଗୁରୁ। ଜଣେ ଶିକ୍ଷକଙ୍କୁ ଯେମିତି ସମ୍ମାନ ଦିଆଯାଏ, ଠିକ୍ ସେହିଭଳି ନିଜ ବାପା-ମାଆଙ୍କୁ ମଧ୍ୟ ସମ୍ମାନ ଦେବା ଉଚିତ୍। ଯିଏ ନିଜ ବାପା-ମାଆଙ୍କୁ ସମ୍ମାନ ଦେଇ ଜାଣେନା, ସେ କାହାକୁ ସମ୍ମାନ କରିବା ଶିଖି ପାରେନା ।

କାରଣ ଉଭୟ ନଥିଲେ ଜଣେ ଶିଶୁର ଭବିଷ୍ୟତ କେବେ ବି ଉତ୍ତମ ରୂପେ ଗଢା ହୋଇପାରିବ ନାହିଁ । ପିତାମାତାଙ୍କ ପରେ ଯିଏ ଦୁନିଆ ସହ ପିଲାଟିର ପରିଚୟ କରାନ୍ତି, ସେ ହେଉଛନ୍ତି ଶିକ୍ଷା ଗୁରୁ । ଯିଏ ଆମକୁ ଶିକ୍ଷା ଦାନ କରନ୍ତି ତାଙ୍କ ସ୍ଥାନ ବି ଅପୂରଣୀୟ । ପିଲାର ସମ୍ପୂର୍ଣ୍ଣ ଭବିଷ୍ୟତ ନ୍ୟସ୍ତ ଥାଏ ଜଣେ ଶିକ୍ଷକଙ୍କ ଉପରେ।ପିଲାଟି ଯେବେ ଖଡି ଧରିବା ଆରମ୍ଭ କରିଥାଏ, ଶିକ୍ଷା ଗୁରୁର ଶିକ୍ଷକତା ସେହିଠାରୁ ହିଁ ଆରମ୍ଭ ହୋଇଥାଏ। ବିନା ଗୁରୁରେ ଛାତ୍ରର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଥାଏ। ତେଣୁ ତାଙ୍କୁ କେବେ ବି ଅବମାନନା କରିବା ଉଚିତ୍ ନୁହେଁ। ଶିକ୍ଷା ହେଉଛି ପ୍ରଗତିର ମାପକାଠି । ଏହା ମାଧ୍ୟମରେ ହିଁ ସମାଜର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଅଣାଯାଇପାରିବ। ସବୁଠୁ କଠିନ କାର୍ଯ୍ୟ ମଧ୍ୟରେ ଗୋଟିଏ ବଡ କାର୍ଯ୍ୟ ହେଉଛି ଜଣେ ଭଲ ଆଦର୍ଶ ଶିକ୍ଷକ ହେବା ।

Leave a Reply

Your email address will not be published. Required fields are marked *