
କଲମ୍ବୋ (ଏଜେନ୍ସି): ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ଅପରାଜିତ ଶତକୀୟ ପାଳି ପରେ କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ବଳରେ ଭାରତ ଏସିଆ କପ୍ର ସୁପର-୪ ମ୍ୟାଚ୍ରେ ପାକିସ୍ତାନକୁ ୨୨୮ ରନ୍ରେ ହରାଇ ଦେଇଛି । ଦିନିକିଆରେ ପାକିସ୍ତାନ ବିପକ୍ଷରେ ଭାରତର ଏହା ସବୁଠାରୁ ବଡ଼ ବିଜୟ (ରନ୍ ବ୍ୟବଧାନରେ) ।
ଏହା ପୂର୍ବରୁ ଏହି ରେକର୍ଡ ୧୪୦ ରନ୍ ଥିଲା, ଯାହା ଭାରତ ୨୦୦୮ରେ ଢାକାରେ ହାସଲ କରିଥିଲା ।
କଲମ୍ବୋସ୍ଥିତ ଆର୍ ପ୍ରେମଦାସା ଷ୍ଟାଡିୟମରେ ଦୁଇ ଦିନ ଧରି ଚାଲିଥିବା ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ଦୁଇ ୱିକେଟ୍ ହରାଇ ୩୫୬ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ଏହା ମଧ୍ୟ ଦିନିକିଆରେ ପାକିସ୍ତାନ ବିପକ୍ଷରେ ଭାରତର ସବୁଠୁ ବଡ଼ ସ୍କୋର । ଭାରତ ପ୍ରଦତ୍ତ ଏହି ବୃହତ ଟାର୍ଗେଟ ଜବାବରେ ପାକିସ୍ତାନ ଦଳ ୩୧ ଓଭରରେ ୮ ଓ୍ବିକେଟ୍ ହରାଇ ମାତ୍ର ୧୨୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳର ଦୁଇ ବ୍ୟାଟ୍ସମ୍ୟାନ୍ ଆହତ କାରଣରୁ ବ୍ୟାଟିଂ କରିନଥିଲେ । ଭାରତ ପକ୍ଷରୁ କୁଲଦୀପ ୨୫ ରନ୍ ଦେଇ ସର୍ବାଧିକ ୫ଟି ଓ୍ବିକେଟ୍ ନେଇଥିଲେ । ଦିନିକିଆ କ୍ୟାରିୟରର ୪୭ତମ ଶତକ ହାସଲ କରିଥିବା କୋହଲି ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ । ଭାରତ ମଙ୍ଗଳବାର ଶ୍ରୀଲଙ୍କାକୁ ଭେଟିବ ।
ପୂର୍ବରୁ ଆଜି ରିଜର୍ଭ ଦିବସରେ ଭାରତ ଅସମାପ୍ତ ସ୍କୋର ୨୪.୧ ଓଭରରେ ୧୪୭/୨ରୁ ଆଗକୁ ଖେଳିଥିବା ବେଳେ ବିରାଟ କୋହଲି ଓ କେଏଲ ରାହୁଲ ପାକିସ୍ତାନୀ ବୋଲରଙ୍କ ଧୂଲେଇ କରିଥିଲେ । ଉଭୟ ଶତକ ମଧ୍ୟ ହାସଲ କରିଥିଲେ। ତୃତୀୟ ୱିକେଟ ପାଇଁ ଉଭୟ ରେକର୍ଡ ବ୍ରେକିଂ ପାର୍ଟନରଶିପ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨ ୱିକେଟ ହରାଇ ୩୫୬ ରନ କରିଥିଲା । ଫଳରେ ପାକିସ୍ତାନକୁ ଏସିଆ କପର ଏହି ସୁପର ୪ ମୁକାବିଲା ଜିତିବା ପାଇଁ ୩୫୭ ରନର ଟାର୍ଗେଟ ମିଳିଛି। ବିରାଟ ଶେଷ ଯାଏ ୯୪ ବଲରେ ୧୨୨ ଓ ରାହୁଲ ୧୦୬ ବଲରେ ୧୧୧ ରନ କରି ଅପରାଜିତ ରହିଥିଲେ। କୋହଲିଙ୍କ ଏହା ଦିନିକିଆ କ୍ୟାରିୟରର ୪୭ତମ ଶତକ ଥିବାବେଳେ ରାହୁଲଙ୍କ ଷଷ୍ଠ ଶତକ । ଏହି ଶତକ ବଳରେ କୋହଲି ଆନ୍ତର୍ଜାତୀୟ କ୍ୟାରିୟର ରେ ୭୭ତମ ଶତକ ହାସଲ କରିଛନ୍ତି ।