
ଭୁବନେଶ୍ୱର (ଓଡ଼ିଶା ଟୁଡେ): ମହିଳା ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ନେଇଥିବା ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ମଧ୍ୟ ମହିଳାଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ ସପକ୍ଷରେ ମତପ୍ରକାଶ କରିଛନ୍ତି । ଏପରିକି ସେ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ଵରେ ରହି ମହିଳା ସଶକ୍ତିକରଣ ସମ୍ପର୍କିତ ପଦକ୍ଷେପକୁ ସମର୍ଥନ କରିଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ସମର୍ଥନ ଏହାର ଏକ ଉଦାହରଣ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲକୁ ପାସ କରିବାକୁ ନିରନ୍ତର ପ୍ରୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ମହିଳା ସଶକ୍ତିକରଣ ନେଇ ଆଉ ଏକ ଉଦାହରଣ ସୃଷ୍ଟି କରିିଛନ୍ତି ବିଜେଡି ସୁପ୍ରିମୋ । ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାର ବାଚସ୍ପତି ଆସନରେ ଆସୀନ ହେବେ ଜଣେ ମହିଳା । ବିଧାନସଭାରେ ବିଜେଡିର ସଂଖ୍ୟାକୁ ଦେଖିଲେ ପ୍ରମିଳା ମଲ୍ଲିକ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବା ଏକ ପ୍ରକାର ନିଶ୍ଚିତ । ଜଣେ ମହିଳାଙ୍କୁ ଏଭଳି ଏକ ସାମ୍ବିଧାନିକ ପଦବୀ ପାଇଁ ପ୍ରାର୍ଥୀ କରିବା ନିଶ୍ଚିତ ଭାବେ ଏକ ମହନୀୟ ପଦକ୍ଷେପ ।