କାନାଡାରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ (ଏଜେନ୍ସି): କାନାଡ଼ାରେ ଭାରତ ବିରୋଧୀ କାର୍ଯ୍ୟକଳାପ ଦୃଷ୍ଟିରୁ ଭାରତ ବୁଧବାର ଭାରତୀୟ ନାଗରିକ ତଥା ସେଠାକୁ ଯାତ୍ରା କରିବାକୁ ବିଚାର କରୁଥିବା ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ।

ଖାଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ  ଅଭିଯୋଗ ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ମଧ୍ୟରେ ଏପରି ପରାମର୍ଶ ଜାରି କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, କାନାଡାରେ ବୃଦ୍ଧି ପାଉଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ଓ ରାଜନୈତିକ ସମର୍ଥିତ ହେଟ୍ କ୍ରାଇମକୁ ଦୃଷ୍ଟିରେ ରଖି ସେଠାରେ ଥିବା ସମସ୍ତ ଭାରତୀୟ ନାଗରିକ ଏବଂ ଯାତ୍ରା କରିବାକୁ ଯୋଜନା କରୁଥିବା ଲୋକଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଉଛି। ”

ଏଥିରେ କୁହାଯାଇଛି, କାନାଡ଼ାରେ ଭାରତ ବିରୋଧୀ ଏଜେଣ୍ଡାକୁ ବିରୋଧ କରୁଥିବା ଭାରତୀୟ କୂଟନୀତିଜ୍ଞ ତଥା ଭାରତୀୟ ସମୁଦାୟକୁ ଧମକ ଦିଆଯାଇ ଟାର୍ଗେଟ୍ କରାଯାଇଛି । ତେଣୁ ଭାରତୀୟ ନାଗରିକମାନଙ୍କୁ କାନାଡାର ସେହି ଅଞ୍ଚଳ ତଥା ସମ୍ଭାବ୍ୟ ସ୍ଥାନକୁ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି ଯେଉଁଠାରେ ଏପରି ଘଟଣା ପରିଲକ୍ଷିତ ହୋଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ କାନାଡାରେ ଭାରତୀୟ ସମୁଦାୟର ନିରାପତ୍ତା ତଥା ହିତ ପାଇଁ ଭାରତୀୟ ହାଇ କମିଶନ ଏବଂ କନସୁଲେଟ୍ ଜେନେରାଲ କାନାଡା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିବେ।

କାନାଡାର ବିଗୁଡୁଥିବା ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ଛାତ୍ରମାନଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଏବଂ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *