ଘୁମୁସର ଜିଲ୍ଲା ଦାବିରେ ଆଜି ବେଲଗୁଣ୍ଠା ବନ୍ଦ; ସାମିଲ ହେବେ ୪୦ରୁ ଉର୍ଦ୍ଧ୍ବ ସଂଗଠନ

ଭୁବନେଶ୍ୱର (ଦିବ୍ୟାଶ୍ରୀ ମିଶ୍ର, ଓଡ଼ିଶା ଟୁଡେ): ଦୀର୍ଘ ତିନି ଦଶନ୍ଧି ଧରି ଘୁମୁସର ବାସୀଙ୍କ ଘୁମୁସର ଜିଲ୍ଲା ଦାବିକୁ ସରକାରୀ ସ୍ତରରେ ପ୍ରତ୍ୟାଖ୍ୟାନ କରାଯାଇ ଆସୁଅଛି । ପଦ୍ମପୁର ଭଳି ଏକ ଅପେକ୍ଷାକୃତ ଛୋଟ ଉପଖଣ୍ଡ କୁ ଆଠ ମାସ ତଳେ ୨୦୨୩ ଶେଷ ପୂର୍ବରୁ ଜିଲ୍ଲା ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ପଦ୍ମପୁର ଉପନିର୍ବାଚନ ବେଳେ ପ୍ରଚାରରେ ଯାଇ ଘୋଷଣା କରିନେଲେ । କିନ୍ତୁ ୨୦୨୩ ସରିବାକୁ ବସିଲାଣି ଜିଲ୍ଲା ଗଠନ କାମ ଆରମ୍ଭ ମଧ୍ୟ ହୋଇନାହିଁ । ତେବେ ସେ ଯାହା ହେଉ, ବିଧାନ ସଭାରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଜେପି ନେତା ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ କହିଲେ ଏଯାବତ ୨୫ ରୁ ଉର୍ଦ୍ଧ୍ବ ଜିଲ୍ଲା ଗଠନ ନେଇ ଦାବି ଆସିଛି ।

ଜିଲ୍ଲା ଗଠନ ଦାବି ଆସିଥିବା ସମସ୍ତ ଦାବି ଯେ ସରକାର ଗ୍ରହଣ କରି ନେବେ ତାହା ନୁହେଁ । ବହୁତ ଛୋଟ ଛୋଟ ଭୂଖଣ୍ଡ କୁ ନେଇ ଜିଲ୍ଲା ଦାବି ହୋଇଛି । ତେଣୁ ସବୁତକ ଜିଲ୍ଲା ଯେ ଗଠନ ହେବ, ତାହା ବାସ୍ତବିକ୍ ନୁହେଁ । ଜିଲ୍ଲା ଗଠନ ଦାବିରେ ଯୁକ୍ତି ଯୁକ୍ତ କାରଣ ଥାଇ ସର୍ବାଗ୍ରେ ରହିଛି ଘୁମୁସର ଜିଲ୍ଲା ଦାବି । ଭୌଗୋଳିକ ଅବସ୍ଥିତି, ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟ ଠାରୁ ଦୂରତା, ଜନସଂଖ୍ୟା ଦୃଷ୍ଟିରୁ ଘୁମୁସର ସମସ୍ତ ମାପଦଣ୍ଡ ପୂରଣ କରୁଛି । ଏଥି ପାଇଁ ତ ସ୍ବର୍ଗତ ବିଜୁ ବାବୁ ଘୁମୁସର ଜିଲ୍ଲା ଗଠନ କରିବେ ବୋଲି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଥିଲେ, ପୂର୍ବତନ ଜିଲ୍ଲାପାଳ ଭି କେ ପାଣ୍ଡିଆନ RDC ଙ୍କୁ ଘୁମୁସର ଉପଖଣ୍ଡ କୁ ନେଇ ଜିଲ୍ଲା ଗଠନ କରିବାକୁ ସୁପାରିଶ କରିଥିଲେ । ଏହିପରି ସ୍ଥିତିରେ ଛୋଟ ଭୂଖଣ୍ଡ କୁ ଜିଲ୍ଲା ମାନ୍ୟତା ଦେଇ ଘୁମୁସର କୁ ଅଣଦେଖା କରିବା ଘୁମୁସର ବାସୀଙ୍କ ପାଇଁ ନିଶ୍ଚୟ ଅନ୍ୟାୟ ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ତଥାପି ଘୁମୁସର ବାସୀ ହାରି ନାହାନ୍ତି । ବାରମ୍ବାର ଉପେକ୍ଷିତ ହୋଇ ମଧ୍ୟ ଅଣ୍ଟା ଭିଡିଛନ୍ତି । ଆନ୍ଦୋଳନ କରିଛନ୍ତି । ଜନ ସଚେତନତା କରିଛନ୍ତି । ଜିଲ୍ଲା ଗଠନ କରିବାକୁ ଦୃଢ ପରିକର ହୋଇଛନ୍ତି । ଭଞ୍ଜନଗର, ଜଗନ୍ନାଥ ପ୍ରସାଦ ଓ ସୋରଡ଼ା ଠାରେ ବନ୍ଦ ପାଳନ କରାଯାଇ ସାରିଛି । ଆଜି ବେଲଗୁଣ୍ଠା ବନ୍ଦ ପାଳନ କରାଯାଉଛି । ମେଡ଼ିକାଲ, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା ଭଳି ବିଭିନ୍ନ ଜରୁରୀ ସେବାକୁ ବାଦ ଦିଆ ଯାଇଛି । ବେଲଗୁଣ୍ଠା ବନ୍ଦ ପାଳନକୁ ବଣିକ ସଂଘ, ପ୍ରେସ କ୍ଲବ, ଘୁମୁସର ମିଳିତ କ୍ରିୟାନୁଷ୍ଠାନ କମିଟି, ଅବସରପ୍ରାପ୍ତ କର୍ମଚାରୀ ସଂଘ ଭଳି ୪୦ ରୁ ଉର୍ଦ୍ଧ୍ବ ସଂଗଠନ ଏହି ବନ୍ଦ ପାଳନରେ ସାମିଲ ହେବେ । ସକାଳ ୬ ଟା ଠାରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ । ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖାଯିବ ।

Leave a Reply

Your email address will not be published. Required fields are marked *