
ଭୁବନେଶ୍ବର (ଓଡ଼ିଶା ଟୁଡେ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ, ସତ୍ୟନଗର ଶାନ୍ତିପଲ୍ଲି ଓ ସୁବୁଦ୍ଧିପୁରରେ ରହିଛି । ଏହି ସବୁ ପ୍ରକଳ୍ପ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ହିତାଧିକାରୀମାନଙ୍କୁ ନୂଆ ଘରର ଚାବି ହସ୍ତାନ୍ତର କରିଛନ୍ତି । ଏହି ୩ଟି ପ୍ରକଳ୍ପରେ ସମୁଦାୟ ୧୭୨୨ ଜଣ ହିତାଧିକାରୀ ଘର ପାଇଛନ୍ତି । ଏହି ସମସ୍ତ ପ୍ରକଳ୍ପ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ମାଣ କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରର ବିକାଶରେ ବସ୍ତିଲୋକଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକ ମାନଙ୍କୁ ନୂଆ ଘର ଭଲ ଘର ଯୋଗାଇ ଦେଇ ସେ ବହୁତ ଖୁସି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଯାଇ ସେଠାରେ ସୁଲଭ ବାସଗୃହ ପ୍ରକଳ୍ପ ଉଦ୍ଘାଟନ କରିଥିଲେ ।
ସହରାଞ୍ଚଳରେ ‘ସମସ୍ତଙ୍କ ପାଇଁ ଘର’ କାର୍ଯ୍ୟକ୍ରମରେ ଏହି ପ୍ରକଳ୍ପଟି ୫ ମହଲା ବିଶିଷ୍ଟ ଏବଂ ଏହା ୧୨ ଏକର ଜମିରେ ନିର୍ମାଣ କରାଯାଇଛି । ଏଥିରେ ୮୨୦ଟି ଘର ସମ୍ପୁର୍ଣ୍ଣ ହୋଇ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଉଛି । ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କ ପାଇଁ ସମୁଦାୟ ୨୬୦୦ଟି ଘର ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ଏହି ସବୁ ପ୍ରକଳ୍ପ ପାଇଁ ପାନୀୟ ଜଳଯୋଗାଣ, ଡ୍ରେନେଜ୍ ବ୍ୟବସ୍ଥା, ସ୍ୱେରେଜ୍ ବ୍ୟବସ୍ଥା, ରାସ୍ତା ଆଲୋକୀକରଣ, ଦୋକାନ ଘର ସହିତ ପାଠାଗାର, ରିଡିଙ୍ଗ ରୁମ୍, ଡିସ୍ପେନ୍ସରି ଆଦି ଅନେକ ସୁବିଧାର ବ୍ୟବସ୍ଥା କରାଯାଇଛି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଡେପୁଟି ମେୟର, ମୁଖ୍ୟ ଶାସନ ସଚିବ ପି.କେ. ଜେନା, ଓ ବରିଷ୍ଠ ପଦାଧିକାରୀମାନେ ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।