ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡିଶା ଗସ୍ତର ପ୍ରଥମ ଦିନ: ସାନ୍ତାଳୀ ଲେଖକ ସଭାରେ ଯୋଗଦାନ, ବିଦ୍ୟାଳୟ ଲୋକାର୍ପଣ

ବାରିପଦା (ଓଡ଼ିଶା ଟୁଡେ): ସାନ୍ତାଳି ଭାଷାଭାଷି ଲୋକମାନେ ପ୍ରଥମେ ନିଜ ଭାଷାକୁ ଭଲ ପାଆନ୍ତୁ ଏବଂ ଏହାକୁ ଲୋକପ୍ରିୟ କରିବା ପାଇଁ କାର୍ଯ୍ୟ କରନ୍ତୁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ତିନିଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ଆଜି ମୁର୍ମୁ ବାରିପଦାରେ ଅଖିଳ ଭାରତୀୟ ସାନ୍ତାଳି ଲେଖକ ସଂଘର ୩୬ତମ ବାର୍ଷିକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବକୁ ଉଦ୍‌‌ଘାଟନ କରି ଏହା କହିଛନ୍ତି। ସାନ୍ତାଳି ଲୋକଙ୍କ ସମୃଦ୍ଧ ଇତିହାସ, ପରମ୍ପରା ଓ ଭାଷାର ରକ୍ଷଣାବେକ୍ଷଣ ପାଇଁ କଠିନ ପରିଶ୍ରମ କରୁଥିବାରୁ ସେ ସାନ୍ତାଳି ଭାଷାର ଲେଖକ ମାନଙ୍କୁ ପ୍ରଶଂସା କରିଛନ୍ତି ।

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ମୁର୍ମୁ ଆଜି ପୂର୍ବାହ୍ନରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାରିପଦାର ପୁଲିସ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସ୍ୱାଗତ କରିଥିଲେ। ଆଜି ଅପରାହ୍ଣରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ରାଷ୍ଟ୍ରପତି ଲୋକାର୍ପଣ କରିଥିଲେ ।

ଆସନ୍ତାକାଲି ରାଷ୍ଟ୍ରପତିଙ୍କୁ ମୟୂରଭଞ୍ଜର ପାହାଡପୁର ଗ୍ରାମବାସୀ ପୂର୍ବାହ୍ଣରେ ସ୍ୱାଗତ କରିବେ । ସେଠାରେ ରାଷ୍ଟ୍ରପତି ସ୍ୱର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ । ପରେ ସେ ପ୍ରୟାସ ଟ୍ରଷ୍ଟ ଦ୍ୱାରା ନିର୍ମିତ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌‌ଘାଟନ କରିବେ । କାଲି ସକାଳେ ସେ ଏସ୍ଏଲଏସ୍ ଟ୍ରଷ୍ଟ ସ୍କୁଲର ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ସଂପର୍କୀୟଙ୍କୁ ସମ୍ବୋଧିତ କରିବେ ।

ରାଷ୍ଟ୍ରପତି ଆସନ୍ତାକାଲି ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ । ରାଷ୍ଟ୍ରପତିଙ୍କ ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ସେ ମଧ୍ୟ ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିବେ। ଏଥିସହିତ ବାଦାମପାହାଡ଼ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିବେ। ପରେ ପରେ ସେ ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସରେ ବାଦାମପାହାଡ଼ ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବେ ।

Leave a Reply

Your email address will not be published. Required fields are marked *