ଉପବାଚସ୍ପତି ହେବେ ସାଲୁଗା ପ୍ରଧାନ, ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ

ଭୁବନେଶ୍ୱର (ଓଡ଼ିଶା ଟୁଡେ): ଉପବାଚସ୍ପତି ହେବାକୁ ଯାଉଛନ୍ତି ଆଦିବାସୀ ନେତା ତଥା ବିଧାୟକ ସାଲୁଗା ପ୍ରଧାନ । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଧାୟକ ହେଉଛନ୍ତି ସାଲୁଗା ପ୍ରଧାନ । ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ଭାବେ ଆଜି (ସୋମବାର) ନାମାଙ୍କନ ଭରିଛନ୍ତି । ଆସନ୍ତାକାଲି (ମଙ୍ଗଳବାର) ଉପ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଶାସକ ଦଳ ବିଜେଡିରେ ସଂଖ୍ୟା ଦୃଷ୍ଟିରୁ ସାଲୁଗା ବିଜୟ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।

ସାଲୁଗା ପ୍ରଧାନ ଦୁଇଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ୨୦୦୦ ଏବଂ ୨୦୧୯ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସାଲୁଗା । ବିଧାନସଭାର ନିର୍ବାଚନ ଅଧିକାରୀ ତଥା ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ନିକଟରେ ସାଲୁଗା ଆଜି (ସୋମବାର) ନାମାଙ୍କନ ଭରିଛନ୍ତି । ନାମାଙ୍କନ ଦାଖଲ ସମୟରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତୀ ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ପଦ୍ମନାଭ ବେହେରା, ଶଶୀଭୂଷଣ ବେହେରା, ସମ୍ବିତ ରାଉତରାୟ, ପ୍ରଣବ ବଳବନ୍ତରାୟ, ସମୀର ଦାସ ଉପସ୍ଥିତ ଥିଲେ ।

ନାମାଙ୍କନ ଦାଖଲ ପୂର୍ବରୁ ସାଲୁଗା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ଆଶୀର୍ବାଦ ନେଇଥିଲେ । ନାମାଙ୍କନ ଦାଖଲ ପରେ ପ୍ରତିକ୍ରିୟା ରଖିଛନ୍ତି ସାଲୁଗା । ସାଲୁଗା କହିଛନ୍ତି ଯେ, “ବିଧାନସଭାର ଉପବାଚସ୍ପତି ପ୍ରାର୍ଥୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋତେ ଚୟନ କରିଛନ୍ତି । ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ବରିଷ୍ଠ ସଦସ୍ୟଙ୍କ ସହଯୋଗ ଓ ପରାମର୍ଶ ନେଇ କାର୍ଯ୍ୟ କରିବି । ଗୃହକାର୍ଯ୍ୟ କିପରି ସୁପରିଚାଳନା ହେବ ସେ ନେଇ ବ୍ୟବସ୍ଥା କରିବି । ଶାସକ ଏବଂ ବିରୋଧୀ ଦଳର ସହଯୋଗରେ ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ପରିଚାଳନା ଲାଗି ପଦକ୍ଷେପ ନେବି” । ସାମ୍ବିଧାନିକ ପଦରେ ଅଧିଷ୍ଠିତ ହେଲେ ମଧ୍ୟ ସଂଗଠନ କାର୍ଯ୍ୟ ପ୍ରଭାବିତ ହେବନାହିଁ ବୋଲି କହିଛନ୍ତି ଭାବି ଉପବାସ୍ପତି ସାଲୁଗା ପ୍ରଧାନ ।

ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଉପ ବାଚସ୍ଚପତି ପଦ ଖାଲି ପଡ଼ିଥିଲା । ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଚଳିତମାସ ୮ ତାରିଖରେ ଉପ ବାଚସ୍ପତିପଦରୁ ଇସ୍ତଫା ଦେଇଥିଲେ । ରଜନୀକାନ୍ତ ୨୦୧୯ ଜୁନ ମାସରୁ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଭାବେ କାର୍ଯ୍ଯ କରୁଥିବା ବେଳେ, ୨୦୨୩ ନଭେମ୍ବର ୮ ତାରିଖରେ ଏହି ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ଉପବାଚସ୍ପତି ପଦ ଖାଲି ପଡ଼ିଛି ।

Leave a Reply

Your email address will not be published. Required fields are marked *