ଏଡେଲୱିସ୍ ମ୍ୟୁଚୁଆଲ୍‌ ଫଣ୍ଡ ମାଲିକାଣୀ ତଥା ସାର୍କ ଟାଙ୍କ୍‌-୩ର ଜୁରି ରାଧିକାଙ୍କ ମୁହଁରେ ସମ୍ବଲପୁରୀ ଶାଢ଼ିର ପ୍ରଶଂସା

(ଓଡ଼ିଶା ଟୁଡେ): ‘‘ଯଦି କିଏ କେବେ ଓଡ଼ିଶା ଯାଉଛନ୍ତି ତେବେ ଓଡ଼ିଶାର ଶାଢ଼ି ବା ସମ୍ବଲପୁରୀ ଶାଢ଼ି ନିଶ୍ଚିତ କିଣି‌‌ବେ। କାରଣ ଏହି ଶାଢ଼ି ଖୁବ୍‌ ସୁନ୍ଦର। ଯେଉଁଠି ଥାଏ ସେମାନଙ୍କର କଳା, ସଂସ୍କୃତି ଓ ପରମ୍ପରାର ଝଲକ। ବୁଣାକାରମାନେ ମାସ ମାସ ଧରି ଏହି ଶାଢ଼ିକୁ ବୁଣିଥାନ୍ତି। ଏହି ଶାଢ଼ି ଦେଖିବାକୁ ଯେତେ ସୁନ୍ଦର ପିନ୍ଧିବା ପରେ ତା’ଠାରୁ ଅଧିକ ଆକ‌ର୍ଷଣୀୟ ଲାଗିଥାଏ ।’’

ଏମିତି କିଛି କଥା ଲେଖି ନିଜ ସୋସିଆଲ ମିଡ଼ିଆ ପେଜ୍‌ରେ ସେୟାର୍‌ କରିଛନ୍ତି ୟଙ୍ଗ୍ ଗ୍ଲୋବାଲ୍ ଲିଡର  ଏଡେଲୱିସ୍ ମ୍ୟୁଚୁଆଲ୍‌ ଫଣ୍ଡର ଏମ୍‌ଡି ଓ ସିଇଓ ରାଧିକା ଗୁପ୍ତା । ସୋନି ଟିଭିର ଲୋକପ୍ରିୟ ଧାରାବାହିକ ସାର୍କ ଟାଙ୍କ୍‌ର ସଂସ୍କରଣ-୩ରେ ଏଥର ରାଧିକା ଜୁରି ଭାବରେ ଦେଖିବାକୁ ମିଳିବେ ।

ସେ ଜଣେ ପ୍ରତିଭାଶାଳୀ ଲେଖିକା ମଧ୍ୟ। ତେବେ ରାଧିକା ଗୁପ୍ତାଙ୍କ ଏହି ପୋଷ୍ଟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଓଡ଼ିଶାର ସମ୍ବଲପୁରୀ ଶାଢ଼ିକୁ ଭୂରି ଭୂରି ପ୍ରଶଂସା କରିବା ସହିତ ବୁଣାକାରମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହା ସହିତ କହିଛନ୍ତି, ‘‘ଆମେ ଭାରତୀୟମାନେ ‘ଗୁସି’, ‘ଲୁଇ ଭୁଟନ୍’ ଭଳି ବ୍ରାଣ୍ଡ୍ ବିଷୟରେ ଜାଣିଛେ। ତା’ର ଉତ୍ପାଦ ବ୍ୟବହାର କରୁଛେ । ଏହି ବିଦେଶୀ ବ୍ରାଣ୍ଡ୍‌ଗୁଡ଼ିକ ନିଜର ବ୍ୟବସାୟ ଭଲ ଭାବରେ କରୁଛନ୍ତି ମଧ୍ୟ । ପ୍ର‌ତି ବ୍ରାଣ୍ଡ୍‌ ପଛରେ କିଛି ନା କିଛି ‌କାହାଣୀ ଲୁଚିରହିଛି । ବାସ୍‌ ତାକୁ ଖୋଜିବାକୁ ପଡ଼ିବ। ଆମ ପାଖରେ କଳା ଅଛି, ସଂସ୍କୃତି ଅଛି । ଯାହା ଆମକୁ ବହୁତ ଆଗକୁ ନେବାରେ ସାହାଯ୍ୟ କରିବ । ଆମ ବୁଣାକାରମାନେ ଭଲ ଦି’ ପଇସା ରୋଜଗାର କରିପାରିବେ । ବିଶ୍ୱ ଦରବାରରେ ଓଡ଼ିଆଙ୍କ କାରୁକାର୍ଯ୍ୟର ପ୍ରଚାରପ୍ରସାର ମଧ୍ୟ ହେବ ।’’

ତେବେ ରାଧିକା ଗୁପ୍ତା ସବୁବେଳେ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦିଅନ୍ତି । ନିଜେ ସମ୍ବଲପୁରୀ ଶାଢ଼ି ପିନ୍ଧିବା ସହ ସମ୍ବଲପୁରୀ ଶାଢ଼ିକୁ ଆହୁରି ଆଗକୁ ନେବାକୁ ଉତ୍ସାହିତ କରିଛନ୍ତି । ଯାହା ଆମ ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ।

Leave a Reply

Your email address will not be published. Required fields are marked *