ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା; ଉଦ୍ଧାର ପାଇଁ ୨/୩ ଦିନ ଲାଗିବ: ଗଡ଼କରୀ

ଉତ୍ତରକାଶୀ (ଏଜେନ୍ସି): ଉତ୍ତରକାଶୀର ସିଲ୍କିଆରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଅଷ୍ଟମ ଦିନରେ ପ୍ରବେଶ କରିବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ୪ଟି ଭିନ୍ନ ଭିନ୍ନ ବାଟରେ ଉଦ୍ଧାର କାର୍ଯ୍ୟ ଚଳାଇବାକୁ ନିଷ୍ପତ୍ତି ନେଇଛି। ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି। ଯଦି ଅଗର ମେସିନ ଠିକ୍ ଭାବେ କାମ କରେ ତେବେ ପ୍ରାୟ ୨ରୁ ୩ ଦିନ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିବ ବୋଲି ଗଡ଼କରୀ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ବିଆର୍‌ଓ (ସୀମା ସଡ଼କ ସଂଗଠନ) ପକ୍ଷରୁ ସ୍ବତନ୍ତ୍ର ମେସିନ୍ ଆଣିବା ପାଇଁ ରାସ୍ତା ନିର୍ମାଣ କରାଯାଉଛି। ଏଠାରେ ଅନେକ ମେସିନ୍ ପହଞ୍ଚିଛି। ଏବେ ଉଦ୍ଧାର କାର୍ଯ୍ୟ ପାଇଁ ଦୁଇଟି ଅଗର ମେସିନ୍ କାମ କରୁଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ କହିଥିଲେ ଯେ ଉଦ୍ଧାର କାର୍ଯ୍ୟ ପାଇଁ ଆହୁରି ୪ରୁ ୫ ଦିନ ସମୟ ଲାଗିବ। ଶ୍ରମିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନ ଏକ ଜରୁରିକାଳୀନ ସ୍ଥାନାନ୍ତର ମାର୍ଗ ନିର୍ମାଣ ଚାଲିଛି। ଏଥିରେ ସୁଡ଼ଙ୍ଗର ପ୍ରବେଶ ପଥରେ ନିରାପତ୍ତା ବ୍ଲକ୍ ସ୍ଥାପନ ଅନ୍ତର୍ଭୁକ୍ତ ।

Leave a Reply

Your email address will not be published. Required fields are marked *