ଉପବାଚସ୍ପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସାଲୁଗା ପ୍ରଧାନ

ଭୁବନେଶ୍ବର (ଓଡ଼ିଶା ଟୁଡେ): ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେଲେ ନୂଆ ଉପବାଚସ୍ପତି । ଉପବାଚସ୍ପତି ଭାବେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପବାଚସ୍ପତି ଭାବେ ସାଲୁଗା ପ୍ରଧାନଙ୍କ ନାମ ପ୍ରସ୍ତାବ ରଖିଥିଲେ । ଏହାକୁ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ ସମର୍ଥନ କରିଥିଲେ। ଠିକ୍ ସେହିପରି କଂଗ୍ରେସ ପକ୍ଷରୁ ବି ତାଙ୍କୁ ସମର୍ଥନ ଦିଆଯାଇଥିଲା । ଏହାପରେ ନୂତନ ଉପବାଚସ୍ପତି ସାଲୁଗା ପ୍ରଧାନ ନିଜର ବକ୍ତବ୍ୟ ରଖି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରାଯାଇଥିବାରୁ ଉଭୟ ଶାସକ ଓ ବିରୋଧୀ ଦଳର ନେତାଙ୍କୁ କୃତଜ୍ଞତା ଜଣାଇଥିଲେ । ସେ ନିରପେକ୍ଷ ଭାବେ ନିଜର ଦାୟିତ୍ବ ନିର୍ବାହ କରିବେ ବୋଲି ବି କହିଥିଲେ । ବାଚସ୍ପତି ପ୍ରମିଳା ମଲ୍ଲିକ ବିଧାନସଭାର ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ।
ଉଲ୍ଲେଖଯୋଗ୍ୟ, ଗତକାଲି ବିଜେଡି ଆଜି ଶ୍ରୀ ପ୍ରଧାନଙ୍କ ନାମ ଘୋଷଣା କରିବା ପରେ ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ମଙ୍ଗଳବାର ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା ହେବା ବାକି ଥିଲା । ଆଜିପୂର୍ବାହ୍ନ ୯ଟା ୩୦ରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହରେ ଆନୁଷ୍ଠାନିକ ଭାବେ ଉପବାଚସ୍ପତିଙ୍କ ନାମ ଘୋଷଣା କରିଛନ୍ତି । ଦୁଇ ଥର ବିଧାୟକ ହୋଇଥିବା ସାଲୁଗା ପ୍ରଧାନଙ୍କୁ ବିଜେଡି ଉପବାଚସ୍ପତି ପ୍ରାର୍ଥୀ କରିବା ପରେ ସେ କହିଛନ୍ତି ଯେ ଦଳର ସଭାପତି ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ । ବରିଷ୍ଠ ସଦସ୍ୟଙ୍କ ମତାମତ ଓ ପରାମର୍ଶ ନେଇ ଗୃହ କାର୍ଯ୍ୟକୁ ସୁରୁଖୁରରେ ଚଳାଇବି। ସମସ୍ତଙ୍କ ମତାମତକୁ ସମ୍ମାନ ଦେଇ ଗୃହ କାର୍ଯ୍ୟ ଚଳାଇବାକୁ ଚେଷ୍ଟା କରିବି । ମୁଁ ଦୁଇ ଥର ବିଧାୟକ ହୋଇଥିବାରୁ ଉପବାଚସ୍ପତି ହେବା ପାଇଁ ମୋର ଯୋଗ୍ୟତା ଅଛି ।
ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରୁ ବିଧାନସଭାର ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିବା ରଜନୀକାନ୍ତ ସିଂହ ଗତ ନଭେମ୍ବର ୮ତାରିଖରେ ଇସ୍ତଫା ଦେବା ପରେ ଆଗାମୀ ଉପବାଚସ୍ପତି କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା ।

Leave a Reply

Your email address will not be published. Required fields are marked *