
ଭୁବନେଶ୍ବର (ଓଡ଼ିଶା ଟୁଡେ): ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଗୃହକାର୍ଯ୍ୟ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ।
ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି, ପୂର୍ବତନ ଉପମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାସ, ପୂର୍ବତନ ସଦସ୍ୟ ଯୁଧିଷ୍ଠିର ସାମନ୍ତରାୟ, ୬୨୦ ଇ.ଏମ.ଇ. ବାଟାଲିୟନର ପୂର୍ବତନ ଲାନସ ହାବିଲଦାର ସରୋଜ କୁମାର ଦାସ, ବି.ଏସ.ଏଫ. ୨୦୬ କୋବ୍ରା ବାଟାଲିୟନ ପୂର୍ବତନ କନେଷ୍ଟବଳ ପ୍ରକାଶ ଚନ୍ଦ୍ର ଶିଆଳଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଗୃହୀତ ହେଲା ପରେ ଗୃହକାର୍ଯ୍ୟକୁ ଆସନ୍ତାକାଲି ଦିନ ସାଢେ ୧୦ଟା ଯାଏଁ ମୁଲତବୀ ରଖାଯାଇଛି। ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୃହରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଣେ ଜି. ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଏହି ପଦ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଥିଲେ ।
ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବ । ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ଏଥିମଧ୍ୟରୁ ୨୪ଟି ସରକାରୀ କାର୍ଯ୍ୟ ଦିବସ ଓ ୬ଟି ଘରୋଇ ସଦସ୍ୟଙ୍କ କାର୍ଯ୍ୟ ଦିବସ ରହିଛି। ବିଭିନ୍ନ ପ୍ରସଙ୍ଗରେ ଅଧିବେଶନ ସରଗରମ ହେବ ।
ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୮ ପ୍ଲାଟୁନ୍ ପୋଲିସ ଫୋର୍ସ ସୁରକ୍ଷା କାର୍ଯ୍ୟ ପାଇଁ ମୁତୟନ ହୋଇଛନ୍ତି ।ସୁରକ୍ଷା ଦାୟିତ୍ୱରେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ୮ ଜଣ ଅତିରିକ୍ତ ଡିସିପି, ୧୬ ଜଣ ଏସିପି କାର୍ଯ୍ୟ କରିବେ ।
ଏହାଛଡ଼ା ସାଦା ପୋଷାକଧାରୀ ପୋଲିସ, ରୁଫଟପ୍ ସିକ୍ୟୁରିଟି, କ୍ୟୁଆରଟି, ଷ୍ଟ୍ରାଇକିଂ ଫୋର୍ସ, ଏସଓଜି, ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ବାଡ୍ ଓ ଅଗ୍ନିଶମ ଅଧିକାରୀ ମଧ୍ୟ ମୁତୟନ ହୋଇଛନ୍ତି । ବିଧାନସଭା ଠାରୁ ଲୋୟର ପିଏମଜି, ରବିନ୍ଦ୍ର ମଣ୍ଡପ ଛକ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜାଯାଇଛି। ଧାରଣା ସ୍ଥଳରେ ଆବଶ୍ୟକ ସ୍ଥଳେ ଡ୍ରୋନ୍ ବ୍ୟବହାର କରାଯିବ। ବିଧାନସଭାକୁ ସଂଲଗ୍ନ ୫ଟି ରାସ୍ତାରେ ଟ୍ରାଫିକ କଟକଣା ରହିବ ।