ଜାନୁୟାରୀ ୧୫ରୁ ବରଗଡ଼ ଧନୁଯାତ୍ରା

ବରଗଡ଼ (ଓଡ଼ିଶା ଟୁଡେ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୪ ଜାନୁୟାରୀ ୧୫ରୁ ଆରମ୍ଭ ହେବ । ଦୀର୍ଘ ୧୧ ଦିନ ବ୍ୟାପୀ ଜାନୁୟାରୀ ୨୫ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ବୁଧବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକରେ ସମିତିର ସଭାପତି ତଥା ଜିଲାପାଳ ମୋନିଷା ବାନାର୍ଜୀ ସୂଚନା ଦେଇଛନ୍ତି। ଅନ୍ୟବର୍ଷ ତୁଳନାରେ ଏଥର ମହୋତ୍ସବକୁ ଅଧିକ ଆକର୍ଷଣୀୟ ତଥା ଶୃଙ୍ଖଳିତ, ସୁରକ୍ଷିତ ଭାବେ ସମାପନ କରିବା ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ ।

ସମିତିର ଆବାହକ ତଥା ସମ୍ପାଦକ ସୁରେଶ୍ୱର ଶତପଥୀ ଗତ ଧନୁଯାତ୍ରା ମହୋତ୍ସବର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ଗତବର୍ଷ ଧନୁଯାତ୍ରାରେ ବିଭିନ୍ନ ସୂତ୍ରରୁ ୧ କୋଟି ୮୨ ଲକ୍ଷ ୯୭ ହଜାର ୫୪୪ ଟଙ୍କା ସଂଗୃହୀତ ହୋଇଥିବା ବେଳେ ୧ କୋଟି ୫୭ ଲକ୍ଷ ୨୧ ହଜାର ୬୪୫ ଟଙ୍କା ଖର୍ଚ୍ଚ ହୋଇଥିବା ସେ ସୂଚନା ଦେଇଥିଲେ। ସେହିପରି ଏପର୍ଯ୍ୟନ୍ତ ସମିତିର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୨ କୋଟି ୧୧ ଲକ୍ଷ ୨୫ ହଜାର ୧୫୬ ଟଙ୍କା ୪୦ ପଇସା ଜମା ରହିଥିବା ସେ କହିଥିଲେ। ତେବେ ଧନୁଯାତ୍ରା ସରିବାର ବହୁ ବିଳମ୍ବରେ ବୈଠକ କରାଯିବା ଏବଂ ଆୟବ୍ୟୟ ବିବରଣୀ ଦେବାକୁ ନେଇ ବୈଠକରେ ଉପସ୍ଥିତ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପରବର୍ତ୍ତୀ ଧନୁଯାତ୍ରା ସରିବାର ସେଭଳି ବିଳମ୍ବ ନ କରିବାକୁ ଦାବି ଉପସ୍ଥାପନ କରିଥିଲେ।

ସେହିପରି ଦୀର୍ଘବର୍ଷ ଧରି ଧନୁଯାତ୍ରା ମହୋତ୍ସବ ସମିତି ତଥା ସମିତିରେ ରହିଥିବା ସବ୍‌ କମିଟିଗୁଡ଼ିକର ପୁନର୍ଗଠନ ହେଉ ନ ଥିବା ଯୋଗୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଆସନ୍ତା ଧନୁଯାତ୍ରାକୁ ଆହୁରି ଦେଢ଼ମାସ ବାକି ଥିବା ଯୋଗୁ ଧନୁଯାତ୍ରା ପୂର୍ବରୁ ମହୋତ୍ସବ ସମିତି ଏବଂ ସବ୍‌କମିଟିଗୁଡ଼ିକର ପୁନର୍ଗଠନ କରିବାକୁ ଉପସ୍ଥିତ ଲୋକେ ଦାବି କରିଥିଲେ। ଏହା ସହିତ ଧନୁଯାତ୍ରାରେ ହେଉଥିବା ଆର୍ଥିକ କାରବାର ଉପରେ ସ୍ବଚ୍ଛତା ରଖିବାକୁ ବୈଠକରେ ଦାବି ହୋଇଥିଲା। ଗତବର୍ଷ ଧନୁଯାତ୍ରା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୋଲିସ କର୍ମଚାରୀଙ୍କ ଆକ୍ରମଣ ଘଟଣାକୁ ଧନୁଯାତ୍ରା ମହୋତ୍ସବ ସମିତି ହାଲୁକା ଭାବେ ଗ୍ରହଣ କରୁଥିବା ଯୋଗୁ ବୈଠକରେ ଉପସ୍ଥିତ ଖବରଦାତାମାନେ ଉଦ୍‌ବେଗ ପ୍ରକାର କରିଥିଲେ। ବୈଠକରେ ଏସ୍‌ପି ପି.ଏସ୍‌ ମୀନା, ଅତିରିକ୍ତ ଜିଲାପାଳ ଲଲାଟ କୁମାର ଲୁହା, ଉପଜିଲାପାଳ କୁମାର ନାଗଭୂଷଣ, ପୌରାଧ୍ୟକ୍ଷା କଳ୍ପନା ମାଝି ପ୍ରମୁଖ ମଞ୍ଚାସୀନ ଥିଲେ । ସେହିପରି ଧନୁଯାତ୍ରା ମହୋତ୍ସବ ସମିତିର ବିଭିନ୍ନ ସବ୍‌କମିଟି, ଜିଲା ଓକିଲ ସଂଘ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *