ସୂର୍ଯ୍ୟଙ୍କ ଶତକ ପରେ କୁଲଦୀପଙ୍କ ଯାଦୁଗରୀ ବୋଲିଂ, ମ୍ୟାଚ୍ ଜିତି ସିରିଜ୍ ୧-୧ରେ ବରାବର କଲା ଭାରତ

ଜୋହାନ୍ସବର୍ଗ: ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ପରେ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ବଳରେ ଭାରତ ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍‌କୁ ୧୦୬ ରନରେ ଜିତି ନେଇଛି। ଏହି ବିଶାଳ ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ୧-୧ ବରାବର କରି ପାରିଛି। ପ୍ରଥମ ଟି-୨୦ ବର୍ଷାରେ ଧୋଇଯିବା ପରେ ଦ୍ଵିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା। ଆଉ ଜୋହାନ୍ସବର୍ଗରେ ଖେଳା ଯାଇଥିବା ୩ୟ ଟି-୨୦କୁ ଭାରତ ଦମଦାର ଢଙ୍ଗରେ ଜିତି ନେଇଛି। ଭାରତ ଦ୍ଵାରା ଧାର୍ଯ୍ୟ ୨୦୨ ରନର ବିଜୟ ଲକ୍ଷ୍ୟ ପିଛା କରି ଦକ୍ଷିଣ ଆଫ୍ରିକା ୧୩.୫ ଓଭରରେ ୯୫ ରନରେ ଅଲଆଉଟ୍ ହୋଇଛି। ଡେଭିଡ୍ ମିଲର ସର୍ବାଧିକ ୩୫ ରନ କରିଥିବା ବେଳେ ଆଡନ ମାର୍କରମ ୨୫ ରନ କରିଥିଲେ। କୁଲଦୀପ ଯାଦବ ମାତ୍ର ୧୭ ରନ ଦେଇ ୫ ଓ୍ଵିକେଟ୍ ନେଇ ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରିଛନ୍ତି। ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ୧୦୦ ରନ ଓ ଯଶସ୍ଵୀ ଜୟସ୍ଵାଲଙ୍କ ୬୦ ରନ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୦୧ ରନର ବିଶାଳ ସ୍କୋର କରିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏହା ହେଉଛି ସବୁଠୁ ବଡ଼ ବିଜୟ। ଟି-୨୦ ସିରିଜ୍ ପରେ ଦୁଇ ଦଳ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯିବ ।  

୨୦୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ନିରାଶଜନକ ଥିଲା ୨୪ ରନ ସ୍କୋରରେ ଦଳର ଦୁଇ ଓପନର ମାଥ୍ୟୁ(୪) ଓ ରିଜା ହେଣ୍ଡରିକ୍ସ(୮) ଆଉଟ୍ ହୋଇଥିଲେ। ଏହା ପରେ ଘରୋଇ ଦଳ ଭାରତୀୟ ବୋଲରଙ୍କ ମୁକାବିଲା କରି ନ ପାରି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ବିଶେଷ କରି ଭାରତ ଦୁଇ ସ୍ପିନର କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କୁ ଦକ୍ଷିଣ ଆଫ୍ରିକା ବ୍ୟାଟର ପଢି ପାରି ନ ଥିଲେ। ଡେଭିଡ୍ ମିଲର ସର୍ବାଧିକ ୩୫ ରନ କରିଥିବା ବେଳେ ଆଡନ ମାର୍କରମ ୨୫ ରନ କରିଥିଲେ ।

ଏହି ଦୁଇ ବ୍ୟାଟରଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର କ୍ରିଜରେ ତିଷ୍ଠିପାରି ନ ଥିଲେ । କୁଲଦୀପ ଯାଦବ ଘାତକ ବୋଲିଂ କରି ଆଗରେ ଆତ୍ମ ସମର୍ପଣ କରିଥିଲା ଦକ୍ଷିଣ ଆଫ୍ରିକା । କୌଣସି ଓ୍ଵିକେଟ୍‌ରେ ବି ଭାଗିଦାରୀ ହେବାକୁ ସୁଯୋଗ ଦେଇ ନ ଥିଲେ ଭାରତୀୟ ବୋଲର। କୁଲଦୀପ ୧୭ ରନ ଦେଇ ୫ଟି ଓ୍ଵିକେଟ୍ ନେବା ସହ ଦକ୍ଷିଣ ଆଫ୍ରିକା ଇନିଂସକୁ ୯୫ ରନ ସ୍କୋରରେ ଅନ୍ତ ଘଟାଇଥିଲେ। ଟି-୨୦ ଅନ୍ତର୍ଜାତୀୟରେ କୁଲଦୀପଙ୍କ ଏହା ଦ୍ଵିତୀୟ ୫ ଓ୍ଵିକେଟ୍ ସଫଳତା। ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂ ଏମିତି ଥିଲା ଯେ, ୮ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଆଉ ଉଭୟ ବ୍ୟାଟିଂ ଓ ବୋଲିଂରେ ଧମାଲ ପ୍ରଦର୍ଶନ କରି ଭାରତ ନିର୍ଣ୍ଣାୟକ ଟି-୨୦କୁ  ଜିତିବା ସହ ସିରିଜ୍‌କୁ ୧-୧ରେ ବରାବର କରିଛି । କୁଲଦୀପଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ୨୫ ରନ ଦେଇ ୨ଟି ଓ୍ଵିକେଟ୍ ଏବଂ ମୁକେଶ କୁମାର ଓ ଅର୍ଶଦୀପ ସିଂ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି ।

Leave a Reply

Your email address will not be published. Required fields are marked *