ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ବୃଦ୍ଧି: ୨୦୨୮ ଶେଷ ଯାଏଁ ବଳବତ୍ତର, ଖର୍ଚ୍ଚ ହେବ ୧୨୫୦ କୋଟି

ଭୁବନେଶ୍ବର (ଓଡ଼ିଶା ଟୁଡେ): ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷ ପାଇଁ ଯୋଜନା ଅବଧିକୁ ବୃଦ୍ଧି କରିଛନ୍ତି । ୨୦୨୪ ଜାନୁଆରୀରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅବଧି ବଢିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହା ଦ୍ବାରା ପ୍ରାୟ ୧୦ ଲକ୍ଷ ହିତାଧିକାରୀ ଉପକୃତ ହେବେ । ହିତାଧିକାରୀ ମାସକୁ ୫ କେଜି ଲେଖାଏ ମାଗଣା ଚାଉଳ ପାଇବେ । ଏଥିପାଇଁ ଖର୍ଚ୍ଚ ହେବ ୧୨୫୦ କୋଟି ଟଙ୍କା । ଯାହାକୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ବହନ କରିବେ ।
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି । ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି ଲେଖାଏ ଚାଉଳ ପାଉଛନ୍ତି । ଯୋଜନାର ଅବଧି ଆଉ ୫ ବର୍ଷ ବଢିବ । ଏହା ଦ୍ୱାରା ହିତାଧିକାରୀମାନେ ୨୦୨୪ ଜାନୁଆରୀ ୧ରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜ ପାଣ୍ଠିରୁ ଖର୍ଚ୍ଚ କରିବେ ରାଜ୍ୟ ସରକାର । ରାଜ୍ୟର ଜଣେବି ଗରିବ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି ।

ବିଭାଗ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଏବଂ ହାସଲ କରିଥିବା ସଫଳତା ସହ ସରକାର ଦେଇଥିବା ପ୍ରତିଶୃତି ପୂରଣ ଉପରେ ମଝିରେ ମଝିରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି । ଚଳିତବର୍ଷ ୧୦ ଲକ୍ଷ ଅଧିକ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଏହା ସହ ଭିଟାମିନ ଯୁକ୍ତ ଚାଉଳ ସମସ୍ତ ୩୦ଟି ଜିଲ୍ଲାରେ ଦିଆଯାଇଛି । କୌଣସି ଯୋଗ୍ୟ ଓ ଦୁଃସ୍ଥ ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯିବନାହିଁ । ସେମାନଙ୍କୁ ଖାଦ୍ୟ ସୁରକ୍ଷା ପ୍ରଦାନ ନିମିତ୍ତ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସାମିଲ କରିବା ପ୍ରକ୍ରିୟାକୁ ନିରନ୍ତର କରାଯାଇଛି । ବିଭାଗ ଦ୍ବାରା ବୟସ୍କ, ଅକ୍ଷମ ଏବଂ ଅସୁସ୍ଥ ରୋଗୀଙ୍କୁ ଘରେ ରାସନ ସାମଗ୍ରୀ ପହଞ୍ଚାଇ ଦିଆଯିବାର ବ୍ୟବସ୍ଥା ଆରମ୍ଭ କରାଯାଇଛି ।
ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅଧିକ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଏବଂ ଗ୍ରାମପଞ୍ଚାୟତଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ରାଜ୍ୟର ପ୍ରାୟ ୬୦% ଖାଉଟୀ ସାମଗ୍ରୀ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଏବଂ ଗ୍ରାମପଞ୍ଚାୟତ ମାନଙ୍କ ଦ୍ବାରା ବଣ୍ଟନ କରାଯାଉଛି । ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ଧାନ କ୍ରୟ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାରେ ଓଡିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ । ପ୍ରାୟ ୬୮୭ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଧାନ କ୍ରୟ ବ୍ୟବସ୍ଥାରେ ଅଂଶଗ୍ରହଣ କରୁଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ କାର୍ଯ୍ୟାନ୍ବୟନ ପାଇଁ କେନ୍ଦ୍ର ସରକାର ରାଜ୍ୟ ରାଙ୍କିଙ୍ଗ ଇଣ୍ଡେକ୍ସ ୨୦୨୧-୨୨ ରେ ଓଡିଶା ଦେଶରେ ୧ ନମ୍ବର ସ୍ଥାନ ଅଧିକାର କରିଛି । ଆଇଆଇଏମ ଅହମ୍ମଦାବାଦ ଦ୍ବାରା ଓଡିଶାରେ NFSA ଏବଂ SFSSର ସଫଳ କାର୍ଯ୍ୟକାରିତାକୁ ଏକ Case Study ଭାବରେ ଗ୍ରହଣ କରାଯାଇଛି ।ସାଧାରଣ ବଣ୍ଟନ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ, ସମନ୍ବିତ ଶିଶୁ ବିକାଶ ଯୋଜନା, ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ତଥା FCI ଜରିଆରେ Central Poolକୁ ଭିଟାମିନଯୁକ୍ତ ଚାଉଳ ଯୋଗାଇ ଦେବାରେ ଓଡିଶା ଅଗ୍ରଣୀ ଭୂମିକା ଅର୍ଜନ କରିଛି । ସାଟେଲାଇଟ ଜ୍ଞାନକୌଶଳ ବ୍ୟବହାର କରି ଧାନ ଫସଲ ହେଉଥିବା ଅଞ୍ଚଳର ଗ୍ରାମୱାରୀ ଏବଂ ପ୍ଲଟସ୍ତରରେ ଏହାର ବିଶ୍ଳେଷଣ ପାଇଁ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗକୁ Planet Purpose Award 2023 ପ୍ରଦାନ କରାଯାଇଛି । ମାଲକାନଗିରି ଜିଲ୍ଲାରେ ପାଇଲଟ ରୂପେ ଭିଟାମିନଯୁକ୍ତ ଚାଉଳ ବଣ୍ଟନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇଛି । ଏହା ୩୦ଟି ଜିଲ୍ଲାରେ, ସମସ୍ତ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ବଣ୍ଟନ କରାଯାଉଛି । ଏହା ହିତାଧିକାରୀମାନଙ୍କର ପୁଷ୍ଟିକର ଚାହିଦା ମେଣ୍ଟାଇବାରେ ସହାୟକ ହେବ । ଓଡିଶା ଏହି ଯୋଜନାକୁ ଲାଗୁ କରିବାରେ ପ୍ରଥମ ।

Leave a Reply

Your email address will not be published. Required fields are marked *