ଘୁମୁସର ଜିଲ୍ଲା ପାଇଁ କ୍ରିୟାନୁଷ୍ଠାନ କମିଟି, ସଂଗ୍ରାମ ସମିତି, ଘୁମୁସର ବାହିନୀ, ଓକିଲ ସଂଘର ମିଳିତ ଗଣଧାରଣା, ବୈଠକ, ଆଲୋଚନା

ଭଞ୍ଜନଗର (ଓଡ଼ିଶା ଟୁଡେ) ୧୬/୧୨/୨୩: ଓଡ଼ିଶାର ବୃହତମ ଭଞ୍ଜନଗର ଉପଖଣ୍ଡ କୁ ଘୁମୁସର ଜିଲ୍ଲା ର ମାନ୍ୟତା ନେଇ ଉଠୁଥିବା ଦାବି ଦିନ କୁ ଦିନ ଜୋର୍ ଧରିବାରେ ଲାଗିଛି । ଦାବିପତ୍ର ପ୍ରଦାନ, ବନ୍ଦ ପାଳନ, ସଚେତନତା ରଥ ପରିକ୍ରମା ପରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶନିବାର ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯାଇଛି । ସେହିପରି ରେଡକ୍ରସ ରୋଡ଼ ସ୍ଥିତ ଗୋଷ୍ଠୀ ଗୃହ ଠାରେ ଘୁମୁସର ଜିଲ୍ଲା ସଂଗ୍ରାମ ସମିତି ପକ୍ଷରୁ ବିଭିନ୍ନ ରାଜନୈତିକ ଦଳର ନେତା ଙ୍କ ସମେତ ବିଭିନ୍ନ ସଂଗଠନକୁ ନେଇ ଏକ ବୈଠକ ବସିଥିବା ବେଳେ ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ମଧ୍ୟ ଉପଖଣ୍ଡର ବିଭିନ୍ନ ବାର ଆସୋସିଏସନ କର୍ମକର୍ତ୍ତା ଙ୍କୁ ନେଇ ଆଗାମୀ କାର୍ଯ୍ୟପନ୍ଥା ବାବଦରେ ଆଲୋଚନା କରିଯାଇଛି । ରାଜ୍ୟ ସରକାର ଘୁମୁସର ବାସୀ ଙ୍କୁ ତିରିଶ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଅଣଦେଖା କରିଆସୁଛନ୍ତି । ଗଞ୍ଜାମ ଜିଲ୍ଲାର ସର୍ବବୃହତ ଉପଖଣ୍ଡ ଭଞ୍ଜନଗର ହୋଇଥିଲେ ସୁଦ୍ଧା ସରକାର ଏହାକୁ ଜିଲ୍ଲାର ମାନ୍ୟତା ଦେଉନାହାନ୍ତି । ପୂର୍ବରୁ ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ସରକାରଙ୍କୁ ଦାବିପତ୍ର ଦିଆଯିବା ସହ ଚିଠିଲେଖା ଅଭିଯାନ,ବନ୍ଦପାଳନ ଓ ସଚେତନତା ରଥ ପରିକ୍ରମା କରାଯାଇଛି । ଘୁମୁସର ଜିଲ୍ଲା ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିବାକୁ ଗତ ସୋମବାର ଠାରୁ ଘୁମୁସରର ଗଡ ମା’ ବ୍ୟାଘ୍ରଦେବୀ ପୀଠ ରୁ ଏକ ରଥ ଶୁଭାରମ୍ଭ ହୋଇ ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା, ବୁଗୁଡା ସମେତ ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି । ଜିଲ୍ଲା ହେବାର ସବୁ ଭିତ୍ତିଭୂମି ଏଠାରେ ଥିଲେ ମଧ୍ୟ ସରକାର ଜିଲ୍ଲାର ମାନ୍ୟତା ଦେଉନାହାନ୍ତି । ଆଗାମୀ ଦିନରେ ଏହାକୁ ଭିନ୍ନ ଢ଼ଙ୍ଗରେ ନେବା ପାଇଁ ଭଞ୍ଜନଗର ଓକିଲ ସଂଘ, ଘୁମୁସର ବାହିନୀ, ଘୁମୁସର ଜିଲ୍ଲା ସଂଗ୍ରାମ ସମିତି ଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭିନ୍ନ ଭିନ୍ନ ପନ୍ଥା ଆପଣାଇଛନ୍ତି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶନିବାର ଠାରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଛି । ଏହି ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ସଭାପତି ସୋମନାଥ ନାୟକ କହିଛନ୍ତି । ସେହିପରି ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ସଂଘର ସଭାପତି ଅଭିମନ୍ୟୁ ଗୌଡ଼ଙ୍କ ନେତୃତ୍ୱରେ ଉପଖଣ୍ଡ ଅଧୀନ ବିଭିନ୍ନ ଓକିଲ ସଂଘର କାର୍ଯ୍ୟକର୍ତ୍ତା ମାନଙ୍କ ସହ ଆଲୋଚନା କରିଛନ୍ତି । ଓକିଲ ସଂଘ ଉପସଭାପତି ରଜତ କୁମାର ଦାଶ, ହରେକୃଷ୍ଣ ମହାପାତ୍ର, ଚନ୍ଦ୍ରମଣି ମହାପାତ୍ର, ଦଣ୍ଡପାଣି ସ୍ୱାଇଁ, ଗିରିଜା ଭୂୟାଁ, ଖରାଂଶୁ ଶେଖର ଦାଶ ଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ । ସେହିପରି ରେଡକ୍ରସ ରୋଡ଼ ସ୍ଥିତ ଗୋଷ୍ଠୀ ଗୃହ ଠାରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ନେତା ଙ୍କ ସମେତ ଘୁମୁସର ବାହିନୀ ଓ ବିଭିନ୍ନ ସଂଗଠନ ର ସଦସ୍ୟ ଯୋଗଦେଇ ଆଗାମୀ କାର୍ଯ୍ୟପନ୍ଥା ବାବଦରେ ଆଲୋଚନା କରିଛନ୍ତି । ଉକ୍ତ ବୈଠକରେ ଦେବୀ ପ୍ରସାଦ ବିଷୋୟୀ, ବିନାୟକ ତ୍ରିପାଠୀ, ମୁରଲୀଧର ପଣ୍ଡା, ସୁକାନ୍ତ କୁମାର ଦିଗାଲ, ନଚିକେତା ପ୍ରଧାନ, ମାଧବ ନାୟକ, ସନ୍ତୋଷ ତିଆଡି, ସୋମନାଥ ନାୟକ, ଏ.ଗୌରୀ ଶଙ୍କର ପାତ୍ର, ବିଦ୍ୟାଧର ପ୍ରଧାନ, ନିଶାକର ବିଷୋୟୀ, ବୈଦ୍ୟ ନାଥ ସାହୁ, ଭଞ୍ଜ କିଶୋର ପ୍ରଧାନ, ପ୍ରକାଶ ଚନ୍ଦ୍ର ସାହୁ, ଜଗଦୀଶ ପାଣିଗ୍ରାହୀ, ଅରକ୍ଷିତ ପରିଛା, ମନୋଜ ପ୍ରଧାନ କୈଳାସ ପାତ୍ର, ଶିବ ପ୍ରସାଦ ମହାପାତ୍ର, ଶ୍ରୀରାମ ପ୍ରସାଦ ପାଳଙ୍କ ସମେତ ବହୁ ସଂଗଠନ ର ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *