ମହାପ୍ରଭୁଙ୍କୁ ୭୫ ଲକ୍ଷ ଟଙ୍କାର ସୁନା ଗହଣା ଦାନ ଦେଲେ ଭକ୍ତ

ପୁରୀ (ଓଡ଼ିଶା ଟୁଡେ): ମହାପ୍ରଭୁଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଗୁଜୁରାଟର ଜଣେ ଭକ୍ତ । ଦୈନନ୍ଦିନ ବେଶରେ ଲାଗୁଥିବା ଦୁଇଟି ସୂବର୍ଣ୍ଣ ଚିତା ବା ତିଳକ ଶ୍ରୀମନ୍ଦିର ପ୍ରଶାସନକୁ ଦାନ କରିଛନ୍ତି ଗୁଜୁରାଟ ଅହମ୍ମଦାବାଦର ଚିରାଗ ଚିନୁଭାଇ ପଟେଲ । ଦୁଇଟି ସ୍ୱର୍ଣ୍ଣ ତିଳକର ଓଜନ ୧ କେଜି ୭୫ ଗ୍ରାମ । ଏହାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ।

ଏଥିସହିତ ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ଏକ ଲକ୍ଷ ଟଙ୍କା ମୂଲ୍ୟର ତିନୋଟି ରୂପାମୁକୁଟ ଦାନ କରିଛନ୍ତି ଚିରାଗ । ଏହି ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରଟ୍ ସୁନାରେ ନିର୍ମାଣ ହୋଇଛି ।

ପୁରୀ ଆସି ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଓ ବରିଷ୍ଠ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ଆଜି ଏହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । ଏହାଦ୍ୱାରା ଅନ୍ୟ ଭକ୍ତମାନେ ଦାନ କରିବା ପାଇଁ ଉତ୍ସାହିତ ହେବେ ବୋଲି ସେବାୟତ।ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *