ବିଜେପି ଆଇଟି ସେଲ୍ ସଦସ୍ୟଙ୍କୁ ଗିରଫ ଘଟଣା, ବାକ୍ ସ୍ଵାଧୀନତାର ହତ୍ୟା କରିଛନ୍ତି ସରକାର : ଲେଖାଶ୍ରୀ

ଭୁବନେଶ୍ବର (ଓଡ଼ିଶା ଟୁଡେ): ବିଜେପି ଆଇଟି ସେଲ୍ ସଦସ୍ୟଙ୍କୁ ପୋଲିସ ଗିରଫ ଘଟଣା । ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କଲା ବିଜେପି । ଏହା ଗଣତନ୍ତ୍ରର ହତ୍ୟା ଏବଂ ବାକ୍ ସ୍ଵାଧୀନତାର ହତ୍ୟା ବୋଲି ବିଜେପି ପକ୍ଷରୁ କୁହାଯାଇଛି । ସୋସିଆଲ ମିଡିଆରେ ସମାଲୋଚନା ପାଇଁ ଗତକାଲି (ମଙ୍ଗଳବାର) ରାତିରେ ସଂଗ୍ରାମ ପାତ୍ରଙ୍କୁ ସମ୍ବଲପୁରରେ ଅଟକ ରଖାଯାଇଛି ।

ଏନେଇ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, “ପୂର୍ବରୁ ବି ଏ ସରକାର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେବାର ଉଦାହରଣ ରହିଛି। ଖାଲି ସଂଗ୍ରାମ ନୁହେଁ, ପୂର୍ବରୁ ମଧ୍ୟ ଅନେକ ସାମାଜିକ କର୍ମୀଙ୍କୁ ପୋଲିସ ଆକ୍ରୋଶ ମୂଳକ ଭାବେ ଗିରଫ କରିଛି । ରାଜନୈତିକ ସମାଲୋଚନା ଶୁଣିବାକୁ ନାରାଜ ସରକାର। ଶାସନ ଦାୟିତ୍ୱ ନିର୍ବାଚିତ ପ୍ରତିନିଧିମାନଙ୍କଠାରୁ ଅଧିକାରୀଙ୍କ ପାଖକୁ ଯାଇଛି। ଯେଉଁଥିପାଇଁ ରାଜନୈତିକ ସମାଲୋଚନାକୁ ସହିବାକୁ ନାରାଜ । ସାଧାରଣ ଦଫାରେ ଘରୁ ଉଠାଇ ନେଇଛନ୍ତି। ଏହା ସାଢ଼େ ୪ କୋଟି ଓଡିଆଙ୍କ ମୁହଁ ବନ୍ଦ ପାଇଁ ଉଦ୍ୟମ। ଯଦି ବିଜେପି କାର୍ଯ୍ୟକର୍ତ୍ତା ଉପରେ ଏମିତି କାର୍ଯ୍ୟନୁଷ୍ଠାନ। ବିଜେପି ନେତ୍ରୀମାନଙ୍କୁ ବିଜେଡିର କର୍ମୀ ଅସଭ୍ୟ ଭାଷାରେ ଗାଳି ଦେଉଥିଲେ । ଏଥିପ୍ରତି କାହିଁକି ଚୁପ୍ ସରକାର? ଏଠାରେ ଏକଛତ୍ରବାଦ ସରକାର ଚାଲିଛି” ଏପରି କହିବା ସହ ତୁରନ୍ତ ସଂଗ୍ରାମ ପାତ୍ରଙ୍କୁ ଛାଡ଼ିବାକୁ ଦାବି କରିଛି ଦଳ ।

ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶା ରାଜ୍ୟରେ ଏବେ ନିର୍ବାଚିତ ପ୍ରତିନିଧି ଶାସନ କରୁନାହାନ୍ତି । ଅଣଓଡ଼ିଆ ଓ କିଛି ସ୍ୱାର୍ଥପର ଅମଲା ଶାସନ କ୍ଷମତାକୁ ଜବରଦଖଲ କରିଛନ୍ତି, ଯାହା ଗଣତନ୍ତ୍ର ପାଇଁ ବିପଦ । ରାଜ୍ୟ ସରକାର ପୋଲିସକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରି କୌଣସି ପ୍ରକାର ସମାଲୋଚନାର କଣ୍ଠରୁଦ୍ଧ କରୁଛନ୍ତି । ସଂଗ୍ରାମ ପାତ୍ରଙ୍କ ନାଁରେ ପୋଲିସ ଆଇପିସି ୨୯୪, ୫୦୯, ୬୬,୬୭ ଧାରା ଲାଗୁ କରି ଗିରଫ କରିଛି । ପୋଲିସ କିଭଳି ତାଙ୍କୁ ଏମିତି ଧାରା ଲଗାଇ ଗିରଫ କଲା ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ।”

“ସାମାଜିକ ଗଣମାଧ୍ୟମରେ ଯିଏ ସରକାର ଓ ପ୍ରଶାସନ ତ୍ରୁଟିକୁ ଦର୍ଶାଇଲା ତାହା ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ କରି ବିଜୁ ଜନତା ଦଳ ସରକାର ପ୍ରତିଶୋଧ ନେଉଛି । ଗଣତନ୍ତ୍ରରେ ରାଜନୈତିକ ମତାମତ ରଖିବାର ସମସ୍ତଙ୍କ ଅଧିକାର ଅଛି । ବିରୋଧୀ କାର୍ଯ୍ୟକର୍ତ୍ତାମାନେ କିଛି ଭୁଲ ନକରି ପୋଲିସ ସେମାନଙ୍କୁ ଗିରଫ କରୁଛି କିନ୍ତୁ ବିଜୁ ଜନତା ଦଳର ସତ୍ୟଜିତ ବିମଳ ମିଶ୍ରଙ୍କ ପରି କର୍ମୀ ବିଜେପିର ମହିଳାମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ଏନେଇ ମଧ୍ୟ ଥାନାରେ ମାମଲା ରୁଜୁ କରାଯାଇଥିଲା ଓ ମାମଲାକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ବିଜୁ ଜନତା ଦଳ ତାଙ୍କୁ ଗିରଫ କରିନାହିଁ ତାହା ପୋଲିସ ଓ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ” ବୋଲି ଦାବି କରିଛି ବିଜେପି ।

Leave a Reply

Your email address will not be published. Required fields are marked *